Tue. May 26th, 2026

ବିଜେଡିରୁ ବିଦା ପରେ ଦାମଙ୍କ ପ୍ରଥମ ବୈଠକ : ଆସିଲେନି ଆଗଧାଡ଼ିର ଅନୁଗତ ନେତା, ଜବାବ ଦେବାକୁ କର୍ମୀଙ୍କୁ ଆହ୍ଵାନ ଦେଲେ ଦାମ

290 Views

ଜଗତସିଂହପୁର : ବିଜେଡିରୁ ବିଦା ହେବା ପରେ ବିଧାୟକ ଡାକ୍ତର ଦାମୋଦର ରାଉତ ଆଜି ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ପାରାଦୀପ ଆସିଥିଲେ। ପାରାଦୀପ ଓ କୁଜଙ୍ଗରେ ଦୁଇଟି ପୃଥକ୍‌ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଦାମଙ୍କ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଦୃଢ ଜବାବ ଦେବା ପାଇଁ ଏକଜୁଟ୍‌ ହେବା ପାଇଁ ଆହ୍ଵାନ ଦେଇଥିଲେ ଦାମ। ନିଜର ଶକ୍ତି ପ୍ରଦର୍ଶନ ପାଇଁ କୁଜଙ୍ଗରେ ଖୁବ୍‌ଶୀଘ୍ର ଏକ ବିରାଟ ସମାବେଶର ଆୟୋଜନ ସଂପର୍କରେ ମଧ୍ୟ ଦାମ ଏହି ଅବସରରେ ସୂଚନା ଦେଇଥିଲେ।

କିନ୍ତୁ ଦାମଙ୍କ ବୈଠକରେ କେବଳ ତୃଣମୂଳ ସ୍ତରରେ ଥିବା କିଛି ସମର୍ଥକ ଯୋଗ ଦେଇଥିବା ବେଳେ ପାରାଦୀପ ଅଞ୍ଚଳରେ ଦାମଙ୍କ ସମର୍ଥକ କୁହାଯାଉଥିବା ପ୍ରମୁଖ ବିଜେଡି ନେତାମାନେ କିନ୍ତୁ ବୈଠକକୁ ଯାଇ ନାହାନ୍ତି। ପାରାଦୀପ ବୈଠକରେ ଦାମଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ନଗର ବିଜେଡି ସଭାପତି ସୁମନ୍ତ ବିଶ୍ୱାଳ ଓ ସଂପାଦକ ତଥା ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଅନୁପସ୍ଥିତ ଥିଲେ।

ଆଜି କୁଜଙ୍ଗ ଓ ପାରାଦୀପରେ ଅନୁଷ୍ଠିତ ଦୁଇଟି ବୈଠକରେ ଉଦବୋଧନ ଦେଇ ଦାମ କହିଥିଲେ ଯେ ତାଙ୍କ ପ୍ରତି ବିଜେଡି ଅନ୍ୟାୟ କରିଛି। ଏହାର ଦୃଢ଼ ଜବାବ ଦେବାକୁ ହେବ। କର୍ମୀଙ୍କ ସମର୍ଥନ ଯୋଗୁଁ ସେ ନେତା ହୋଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଏକଜୁଟ୍‌ ହୋଇ ସମର୍ଥନ ଜାରି ରଖିିଲେ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରି ଅନ୍ୟାୟର ଦୃଢ ଜବାବ ଦିଆଯିବ।

ଦାମଙ୍କୁ ବିଜେଡିରୁ ବିଦା କରାଯିବା ଘଟଣା ପଛରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହେଉଥିବାରୁ ଏରସମା ଅଞ୍ଚଳରେ ଦାମଙ୍କ ସମର୍ଥକମାନେ ପ୍ରଶାନ୍ତଙ୍କୁ କାର୍ଯ୍ୟକ୍ରମ କରାଇ ନ ଦେବାକୁ ଚେତାବନୀ ଦେଇଛନ୍ତି। ଆଜି କୃଷ୍ଣଚନ୍ଦ୍ରପୁରରେ ମୁଁ ଓଡ଼ିଶା…ମୁଁ ହିରୋ କାର୍ଯ୍ୟକ୍ରମକୁ ଏହି କାରଣରୁ ପ୍ରଶାନ୍ତ ଆସି ନଥିଲେ ବୋଲି ଚର୍ଚ୍ଚା ହେଉଛି। ଦାମ-ପ୍ରଶାନ୍ତଙ୍କ କଳିରୁ ଫାଇଦା ନେବା ପାଇଁ ଯୁବ ନେତା ଶଶୀକାନ୍ତ ପରିଡ଼ା ମଇଦାନକୁ ଲମ୍ପ ଦେବା ଘଟଣା ବି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଧାୟକ ପ୍ରଶାନ୍ତଙ୍କ ବିରୋଧୀ ଭାବେ ଜଣାଶୁଣା ଯୁବ ନେତା ଶଶୀକାନ୍ତ ପରିଡ଼ା ଆଜି ନିଜ ସମର୍ଥକଙ୍କୁ ନେଇ ବାଲିକୁଦାରୁ ନୂଆଗାଁ ପର୍ଯ୍ୟନ୍ତ ଏକ ବିରାଟ ବାଇକ୍‌ ଶୋଭାଯାତ୍ରାର ଆୟୋଜନ କରିବା ଘଟଣା ବିଜେଡି ରାଜନୀତିକୁ ସରଗରମ କରିଛି।

By amfnews

Related Post