Sat. Apr 25th, 2026

ବିଗ୍‌ବସ୍‌ରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କକୁ ନେଇ କଥା ହେଲେ ପ୍ରତିଯୋଗୀ, ଇଣ୍ଟରନେଟ୍‌ରେ ଛାଇଲା ଭିଡିଓ

221 Views

ନୂଆଦିଲ୍ଳୀ: ଜାତୀୟ ସ୍ତରରେ ଖୁବ୍ ଲୋକପ୍ରିୟତା ସାଉଁଟିଥିବା ରିୟାଲିଟି ସୋ’ ବିଗବସର ବର୍ତ୍ତମାନ ୧୩ ତମ ସଂସ୍କରଣ ଚାଲୁରହିଛି । ଏହି ସୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ଅଧିକାଂଶ ସମୟରେ ଝଗଡ଼ା କରୁଥିବା କିମ୍ବା ପରସ୍ପର ବିରୋଧରେ ଗପୁଥିବାର ହିଁ ଶୁଣିବାକୁ ମିଳିଥାଏ । କିଛି ଦିନ ତଳେ ଜାତୀୟ ସ୍ତରରେ ଏହି ସୋ’ ଯୁବପିଢ଼ିଙ୍କ ପଥଭ୍ରଷ୍ଟ କରାଉଥିବାର ମଧ୍ୟ ଅଭିଯୋଗ ଉଠିଥିଲା । କିନ୍ତୁ ବର୍ତ୍ତମାନ ପୁଣିଥରେ ସୋସିଆଲ୍ ମିଡିଆରେ ବିଗବସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଥରର ଚର୍ଚ୍ଚା କିନ୍ତୁ ଓଡ଼ିଶାବାସୀଙ୍କୁ ଖୁବ୍ ପସନ୍ଦ ଆସିଛି ।

ଏହି ରିୟାଲିଟି ସୋ’ରେ ପ୍ରତିଯୋଗୀମାନେ ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିରର ଛପନ ଭୋଗ ଏବଂ ଅର୍କକ୍ଷେତ୍ର କୋଣାର୍କର କାରୁକାର୍ଯ୍ୟ ବିଷୟରେ କଥାବାର୍ତ୍ତା କରୁଥିବାର ଦେଖାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା , ପାରସ୍ ଛାବଡା , ମାହିରା ଶର୍ମା , ଆରତୀ ସିଂହ ଏବଂ ସେଫାଲୀ ଜରିୱାଲା କୋଣାର୍କ ମନ୍ଦିରର ଅଦ୍ଭୁତ ବାସ୍ତୁଶିଳ୍ପ ଏବଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଅବଢା ଏବଂ ୫୬ ଭୋଗ ବିଷୟରେ କଥା ହେଉଛନ୍ତି । ଭିଡିଓରେ ସିଦ୍ଧାର୍ଥ ଶୁକ୍ଲା ଏବଂ ସେଫାଲୀ ଜରିୱାଲା କୋଣାର୍କର ବାସ୍ତୁଶିଳ୍ପ ବିଷୟରେ ପାରସ୍ ଛାବଡ଼ାଙ୍କୁ କହୁଛନ୍ତି ।

ଏହାପରେ ସେଫାଲୀ ଶ୍ରୀକ୍ଷେତ୍ରର ଛପନ ଭୋଗ ବିଷୟରେ କହୁଛନ୍ତି। ଯାହାକୁ ଶୁଣି ସିଦ୍ଧାର୍ଥ ମଧ୍ୟ ଉତ୍ସାହିତ ହୋଇ ଅବଢା ତାଙ୍କୁ ଖୁବ୍ ଭଲ ଲାଗେ ବୋଲି କହୁଥିବାର ଦେଖିବାକୁ ମିଳିଛି। ପ୍ରତିଯୋଗୀ ଆରତୀ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି ଯେ କ’ଣ ସତରେ ମନ୍ଦିରରେ ୫୬ ଭୋଗ ପୂଜା ହୁଏ ଏବଂ ଅବଢା ଭକ୍ତଙ୍କୁ ଖାଇବାକୁ ଦିଆଯାଏ! ଏନେଇ ସେଫାଲୀ ଡୋନେସନ୍ ଦେଲେ ମନ୍ଦିିର ପକ୍ଷରୁ ୫୬ ଭୋଗ ଖାଇବାକୁ ମିଳିଥିବା କଥା କହୁଛନ୍ତି । ତେବେ ଜାତୀୟ ସ୍ତରର ରିୟାଲିଟି ‌ସୋ’ରେ ଓଡ଼ିଶାର ଆରାଧ୍ୟ ତଥା ଓଡ଼ିଶାର ଗୌରବ କୋଣାର୍କ ମନ୍ଦିରର ଚର୍ଚ୍ଚାକୁ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ ।

By amfnews

Related Post