Sat. Apr 25th, 2026

ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍

197 Views

ପିପିଲି : ପୁରୀ ଜିଲ୍ଲା ସାକ୍ଷୀଗୋପାଳପୁର ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିବା ଜଣାଯାଇଛି । ଏହି  ଦୁର୍ଘଟଣାରେ ୯ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ‘ଶ୍ରୀ ଦୁର୍ଗା’ ନାମକ ଯାତ୍ରୀବାହୀ ବସ୍‌ ଆଜି ସକାଳେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ବୀରଗୋବିନ୍ଦପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୀରଗୋବିନ୍ଦପୁର ଛକ ନିକଟରେ ଥିବା ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ କରି ୨ଜଣ ଯୁବକ ରାସ୍ତା ପାର୍‌ ହେଉଥିଲେ। ଉକ୍ତ ସମୟରେ ଦ୍ରୁତ ଗତିରେ ଥିବା ବସ୍‌ଟି ସେମାନଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି।

ବସ୍‌ରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବାବେଳେ ୨ ବାଇକ୍‌ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ସତ୍ୟବାଦୀ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post