Sat. Apr 25th, 2026

ବର୍ଷା ଯୋଗୁଁ ଉଦ୍ଧାର କରି ହେଉନି ଏଏନ୍‌-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା କର୍ମଚାରୀଙ୍କ ପାର୍ଥିବ ଅବଶେଷ

438 Views

ନୂଆଦିଲ୍ଲୀ : ବର୍ଷା ଏବଂ ଖରାପ ପାଗ ଯୋଗୁଁ ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ୍‌ ଜିଲ୍ଲାରେ ଜୁନ୍‌ ୩ ତାରିଖରେ ଏଏନ୍‌-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା କର୍ମଚାରୀଙ୍କର ପାର୍ଥିବ ଅବଶେଷ ଉଦ୍ଧାର କରି ହେଉ ନାହିଁ ବୋଲି ଏକ ବିବୃତିରେ ଆଇଏଏଫ୍‌ କହିଛି। ଶନିବାର ପ୍ରତ୍ୟୁଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ପାଗ ଅନୁକୂଳରେ ହେଲେ ସେଠାରେ ଅପେକ୍ଷାରତ ଚିତା ଏବଂ ଏଏଲ୍‌ଏଚ୍‌ ହେଲିକପ୍ଟର୍‌ ସବୁ ଉଦ୍ଧାର ଅଭିଯାନ ଆରମ୍ଭ କରିବେ। ଏବେ ସେ ଅଞ୍ଚଳରେ ବାଦଲ ଓ ବର୍ଷାରେ ଆକାଶ ନଇଁ ଆସିଛି। ମୃତ ବାୟୁଯୋଦ୍ଧାମାନଙ୍କର ପାର୍ଥିବ ଅବଶେଷ ଉଦ୍ଧାର କରିବା ନିମନ୍ତେ ବାୟୁସେନା ସବୁମତେ ଉଦ୍ୟମ କରୁଛି ବୋଲି ବାୟୁସେନା ମୁଖପାତ୍ର ଏବଂ ଉଇଙ୍ଗ୍‌ କମାଣ୍ଡର୍‌ ପୁନୀତ ଚଢ଼ା କହିଛନ୍ତି।

ଚଢ଼ା ଆହୁରି ସୂଚନା ଦେଇଛନ୍ତି ଯେ ଏହି ବାୟୁଯୋଦ୍ଧାମାନଙ୍କ ପରିବାରବର୍ଗଙ୍କ ସହ ବାୟୁସେନା କର୍ମଚାରୀମାନେ ବରାବର ଯୋଗାଯୋଗ ରଖିବା ସହ ନିୟମିତ ଉଦ୍ଧାର ଅଭିଯାନ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେଉଛନ୍ତି। ଖରାପ ପାଗ ଯୋଗୁଁ ସମ୍ମୁଖୀନ ହେଉଥିବା ପରିସ୍ଥିତି ସଂକ୍ରାନ୍ତରେ ବି ସେମାନଙ୍କୁ ଜଣାଇ ଦିଆଯାଇଥିବା କଥା ଚଢ଼ା କହିଛନ୍ତି। ହେଲିକପ୍ଟର୍‌ ଯୋଗେ ପାର୍ଥିବ ଅବଶେଷ ଏବଂ ଅନ୍ୟ ପ୍ରାମାଣିକ ସାମଗ୍ରୀ ଜୋରହାଟ ଷ୍ଟେଜ୍‌କୁ ଅଣାଯିବ।

By amfnews

Related Post