Fri. Jul 3rd, 2026

ବନ୍ଦ ହେଲା ବାଲ୍ୟ ବିବାହ : ବର ଓ ବଧୂକୁ ବେଦୀରୁ ଉଠାଇ ନେଲା ପୁଲିସ

416 Views

ଝାରସୁଗୁଡା : ଆଜି ଝାରସୁଗୁଡା ଝାଡ଼େଶ୍ୱର ମନ୍ଦିରରେ ଚାଲିଥିବା ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ସିଡବ୍ଲ୍ୟୁସି। ବିବାହ ବେଦୀରେ ବସିଥିବା ବଧୂ ଜଣକ ଜଣେ ନାବାଳିକା ହୋଇଥିବାରୁ ଏହି ବିବାହ ଉତ୍ସବରେ ଚାଇଲ୍ଡ ଲାଇନ୍‌ ସଦସ୍ୟ ଓ ପୁଲିସ ପହଞ୍ଚି ବିବାହ ବନ୍ଦ କରିବା ସହ ବର ଓ ବଧୂଙ୍କୁ ବେଦରୁ ଉଠାଇ ନେଇଛି।

ମିଳିଥିବା ଖବର ଅନୁସାରେ ଆଜି ଝାରସୁଗୁଡା ଝାଡ଼େଶ୍ୱର ମନ୍ଦିରରେ ଚାଲିଥିବା ଏକ ବିବାହ ଉତ୍ସବରେ ମନ୍ତ୍ର ଉଚ୍ଚାରଣ ଚାଲିଥିଲା। ବେଦୀରେ ହୋମ-ଯଜ୍ଞ ମଧ୍ୟ ଚାଲିଥିଲା। ବରକନ୍ୟା ବିବାହ ବେଶରେ ସଜ୍ଜିତ ହୋଇ ହସ୍ତ ବନ୍ଧନକୁ ଅପେକ୍ଷା କରିଥିଲେ। ବିବାହ ଉତ୍ସବକୁ ଆସିଥିବା ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା ଅନେକ ପ୍ରକାର ବ୍ୟଞ୍ଜନ। ମାତ୍ର ସବୁ ଫସର ଫାଟିଗଲା। ବେଦୀରେ ବସିଥିବା ବଧୂ ଜଣେ ନାବାଳିକା ହୋଇଥିବାରୁ ବିବାହ ଉତ୍ସବରେ ପହଞ୍ଚିଥିଲେ ଚାଇଲ୍ଡ ଲାଇନ୍‌ ସଦସ୍ୟ ଓ ପୁଲିସ।

ବିବାହ ହେଉଥିବା ବଧୂକୁ ମାତ୍ର ୧୫ ବର୍ଷ ହୋଇଥିବା ନେଇ କେହି ଚାଇଲ୍ଡ ଲାଇନକୁ ଫୋନ୍‌ କରିବାରୁ ମନ୍ଦିରରେ ପହଞ୍ଚି ଯାଇଥିଲା ପୁଲିସ ସହ ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ଆଶିଷ ପଣ୍ଡା, ସିଡବ୍ଲ୍ୟୁସି ଅଧ୍ୟକ୍ଷା ଆନନ୍ଦିନୀ ପଢ଼ୀ, ଆଇଆଇସି ସାବିତ୍ରୀ ବଳ, ସିଡବ୍ଲ୍ୟୁସି ସଦସ୍ୟା ମମତା ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ପ୍ରକଳ୍ପ ଅଧିକାରୀ ସରୋଜିନି ଏକ୍କା, ଚାଇଲ୍ଡ ଲାଇନ୍‌ ସଦସ୍ୟା ଜ୍ୟୋତ୍ସ୍ନା ପ୍ରଧାନ, ରଜନ ବିହାରୀ ମିଶ୍ର ପ୍ରମୁଖ ଯାଇ ନାବାଳିକାର ବୟସ ଯାଞ୍ଚ କରିଥିଲେ। ନାବାଳିକାଟି ତାମିଲନାଡୁ ଗାନ୍ଧୀନଗରର ଏକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ପାଠ ଛାଡ଼ି ଦେଇଥିବା ବେଳେ ସ୍କୁଲ ରେଜିଷ୍ଟରରେ ତାଙ୍କ ଜନ୍ମ ୧୨.୦୯.୨୦୦୪ ବୋଲି ରହିଥିବା ଜଣାପଡ଼ିବା ପରେ ଏହି ବିବାହ ବେଆଇନ ବୋଲି ଧରାଯାଇଥିଲା।

ତେବେ ନାବାଳିକାର ପରିବାର ଏହାକୁ ରିଙ୍ଗ ସେରିମନି ବୋଲି କହି ଏଡାଇ ଦେବାକୁ ଚେଷ୍ଟା କରୁଥିବା ବେଳେ ମନ୍ଦିର ବୁକିଂ ରେଜିଷ୍ଟରେ ବିବାହ ବୋଲି ଟଙ୍କା ଜମା କରାଯାଇଥିଲା। ଏହାପରେ ନାବାଳିକାକୁ ସିଡବ୍ଲ୍ୟୁସିରେ ଉପସ୍ଥାପନ କରାଯାଇ ପରିବାର ଲୋକଙ୍କ ଉପସ୍ଥିତିରେ ଏକ ରାଜିନାମା ଲେଖି ନାବାଳିକାକୁ ତାର ବାପାଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

By amfnews

Related Post