Mon. Sep 14th, 2026

ବନ୍ଦ ଲେବଲ୍‌ କ୍ରସିଂ ଭିତରେ ୫୦ ଲୋକ : ଟଳିଗଲା ଭୟଙ୍କର ଦୁର୍ଘଟଣା

330 Views

ରାଉରକେଲା : ଆଜି ଅପରାହ୍‌ଣ ପ୍ରାୟ ୨ଟା ୧୦ ମିନିଟ୍‌ ସମୟ। ରାଉରକେଲାର ଆଇଟିଆଇ ରେଳ ଫାଟକର ଉଭୟ ପାର୍ଶ୍ୱରେ ଶତାଧିକ ଲୋକ ନିଜ ଯାନବାହନ ସହିତ ଅପର ପାର୍ଶ୍ୱକୁ ଯିବା ପାଇଁ ଅପେକ୍ଷା କରିଥିଲେ। ମାଲବାହୀ ଟ୍ରେନ୍‌ ଯିବା ପରେ ଫାଟକ ଖୋଲିଥିଲା। ଉଭୟ ପାର୍ଶ୍ୱରୁ ଗାଡ଼ି ମୋଟର ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ପ୍ରାୟ ଦୁଇ ମିନିଟ୍‌ ମଧ୍ୟରେ ପୁଣି ହଠାତ୍‌ ଫାଟକ ପଡ଼ିଯାଇଥିଲା। କାରଣ ସେତିକିବେଳେ ସେହି ଆଡ଼କୁ ଅନ୍ୟଏକ ଦ୍ରୁତଗାମୀ ଟ୍ରେନ୍‌ ମାଡ଼ି ଆସୁଥିବାର ସୂଚନା ପାଇଥିଲେ ଫାଟକ ଦାୟିତ୍ୱରେ ଥିବା ରେଳ କର୍ମଚାରୀ। ଏପରିକି ଗୋଟିଏ ଫାଟକର ବାର୍‌ ଏକ ଅଟୋରିକ୍ସା ଉପରେ ପଡ଼ି ଯାଇଥିଲା। ସେତେବେଳକୁ ପଡ଼ି ଯାଇଥିବା ଦୁଇ ଫାଟକ ଭିତରେ ୫୦ରୁ ଅଧିକ ଗାଡ଼ି ରହି ଯାଇଥିଲେ। ରାଉରକେଲା ଷ୍ଟେସନ୍‌ ପଟୁ ଦ୍ରୁତଗତିରେ ଏକ ଟ୍ରେନ୍‌ ମାଡ଼ି ଆସୁଥିବା ଲୋକେ ଦେଖିବାକୁ ପାଇଥିଲେ। ତାହା ଥିଲା ହାଓଡ଼ା-ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ୍‌, ଯାହା ରାଉରକେଲାରେ ଅଟକେ ନାହିଁ। ଟ୍ରେନ୍‌କୁ ଦେଖି ଲୋକେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଯାଇଥିଲେ। କିଛି ଲୋକ ପ୍ରାଣ ବିକଳରେ ଗାଡ଼ି ଛାଡ଼ି ଫାଟକ ଭିତରୁ ବାର୍‌ ତଳେ ପଶି ଦୌଡ଼ି ପଳାଇଥିଲେ। ତେବେ ଠିକଣା ସମୟରେ ଫାଟକ ଜଗୁଆଳି ଟ୍ରେନ୍‌ ଆସୁଥିବା ସେହି ନିର୍ଦ୍ଦିଷ୍ଟ ରେଳଧାରଣାର ସୂଚନା ଦେଇ ତା’ ଉପରୁ ହଟି ଯିବାଲାଗି ଲୋକଙ୍କୁ କହିଥିଲେ। କୌଣସି କ୍ଷୟକ୍ଷତି ନ କରି ଦୂରନ୍ତ ଏକ୍ସପ୍ରେସ୍‌ ଫାଟକ ଅତିକ୍ରମ କରିଗଲା। ତେବେ ନିଶ୍ଚିତ ଦୁର୍ଘଟଣା ଘଟୁ ଘଟୁ ଟଳିଗଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ମାଲଗାଡ଼ିଟି ଆସିବାରେ ବିଳମ୍ବ କରିବାରୁ ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥିବା ଲୋକମାନେ ଫାଟକ ଖୋଲିବା ପାଇଁ ହୋହଲ୍ଲା କରିଥିଲେ। ମାଲବାହୀ ଟ୍ରେନ୍‌ ଯିବା ପରେ ଫାଟକକୁ ଖୋଲିବା କ୍ଷଣି ଦୂରନ୍ତ ଏକ୍ସପ୍ରେସ୍‌ ମାଡ଼ି ଆସୁଥିବା ଦେଖି ଫାଟକ ଜଗୁଆଳି ଫାଟକ ପକାଇ ଦେଇ ରେଳ ଧାରଣା ଉପରକୁ ଚାଲି ଆସି ଲୋକଙ୍କୁ ହଟାଇଥିଲେ। ତାଙ୍କର ଉପସ୍ଥିତ ବୁଦ୍ଧି ଅନେକ ଜୀବନ ସିନା ରକ୍ଷା କରିଦେଲା, କିନ୍ତୁ କାହାର ଭୁଲ୍‌ ପାଇଁ ଏହି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ତଦନ୍ତ ଚାଲିଥିବା ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

By amfnews

Related Post