Sat. Apr 25th, 2026

ବନାଗ୍ନି ବେଳେ ସପରିବାର ଛୁଟିରେ ଯାଇଥିବାରୁ କ୍ଷମା ମାଗିଲେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ

385 Views

ସିଡ୍‌ନି: ଦେଶର କେତେକ ପ୍ରଦେଶରେ ଭୟଙ୍କର ବନାଗ୍ନି ଜଳୁଥିବା ବେଳେ ଛୁଟି ନେଇ ସପରିବାର ହାଓ୍ଵାଇ ବୁଲିଯାଇଥିବାରୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ରବିବାର ଦିନ କ୍ଷମାପ୍ରାର୍ଥନା କରିଛନ୍ତି। ବନାଗ୍ନି ଯୋଗୁଁ ଅଷ୍ଟ୍ରେଲିଆର କେତେକ ଅଞ୍ଚଳରେ ଘରଦ୍ୱାର ପୋଡ଼ି ନଷ୍ଟ ହୋଇଯିବା ସହ ଦୁଇଜଣ ସ୍ୱେଚ୍ଛାସେବୀ ନିଆଁ ଲିଭାଳି ପ୍ରାଣ ହରାଇଛନ୍ତି।

ପତ୍ନୀ ଓ ପ୍ରାପ୍ତ ବୟସ୍କ ପିଲାମାନଙ୍କ ସହ ବୁଲି ଯାଇଥିବା ମୋରିସନ୍‌ ସର୍ବସାଧାରଣଙ୍କ ଅସନ୍ତୋଷ ଯୋଗୁଁ ଛୁଟିଦିନ ହ୍ରାସ କରି ଅଷ୍ଟ୍ରେଲିଆ ଫେରି ଆସିଛନ୍ତି। ଏ ଭଳି ଜାତୀୟ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଅଷ୍ଟେଲିଆରେ ଅନୁପସ୍ଥିତ ରହିବାରୁ ଜନ ଅସନ୍ତୋଷ ତେଜିଥିଲା। ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋରିସନ୍‌ ଘରେ ପହଞ୍ଚିବା ପରେ ରବିବାର ସକାଳେ ସିଡ୍‌ନିସ୍ଥିତ ରୁରାଲ୍‌ ଫାୟାର୍‌ ସର୍ଭିସ୍‌ ପରିଦର୍ଶନ ସମୟରେ ସାମ୍ବାଦିକମାନଙ୍କୁ କହିଛନ୍ତି: ମୁଁ ଜାଣେ ଅଷ୍ଟ୍ରେଲୀୟଙ୍କର ମତିଗତି ଉତ୍ତମ। ଜଣେ ଯେତେବେଳେ ନିଜର ପିଲାପିଲିଙ୍କୁ କିଛି କଥା ଦେଇଥାଏ, ତାହା ସେ ରଖିବାକୁ ଚେଷ୍ଟା କରେ। କିନ୍ତୁ, ପ୍ରଧାନମନ୍ତ୍ରୀ ଭାବେ ଜଣଙ୍କର ଅନ୍ୟ ଦାୟିତ୍ୱ ବି ରହିଛି। ମୁଁ ତାହା ସ୍ୱୀକାର କରିବା ସହ ସମାଲୋଚନାକୁ ମଧ୍ୟ ସ୍ୱୀକାର କରୁଛି।
ମୋରିସନ୍‌ ଆହୁରି କହିଛନ୍ତି: ଏହା ରାଜନୈତିକ ଫାଇଦା ଉଠାଇବାର ବେଳ ନୁହେଁ, ପରସ୍ପର ପ୍ରତି ଦୟାଭାବ ଦେଖାଇବାର ସମୟ।

ସେ ପୁଣି କହିଲେ କି, ସେ ଜଣେ ତାଲିମପ୍ରାପ୍ତ ନିଆଁ ଲିଭାଳି ନୁହନ୍ତି। ଏ ଭଳି ଭୟାବହ ସମୟ ଦେଇ ଗତି କରୁଥିବା ଲୋକଙ୍କ ପାଖରେ ଆସି ଠିଆ ହୋଇଥିବାରୁ ସେ ଖାଲି ଟିକେ ଆଶ୍ୱସ୍ତ ହେଉଛନ୍ତି।

By amfnews

Related Post