Thu. Jul 2nd, 2026

ଫେବ୍ରୁଆରି ୮ରେ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ : ମିହିରଙ୍କୁ ଜୀବନବ୍ୟାପୀ, ସିଦ୍ଧାନ୍ତଙ୍କୁ ସିନେମା ଗୌରବ ସମ୍ମାନ

186 Views

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରି ୮ଓ ୯ ଦୁଇଦିନ ଧରି ଆୟୋଜିତ ହେବ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ ‘ସୋ-ଟାଇମ୍‌’। ଉଇନିଙ୍ଗ୍‌ ସ୍ପୋର୍ଟିଙ୍ଗ୍‌ ଆନୁକୂଲ୍ୟରେ ପୁରୀ ବେଳାଭୂମିରେ ସିନେମା ଓ ଧାରାବାହିକ କଳାକାରଙ୍କ ମହାମିଳନ ହେବ। ଏହି ରଙ୍ଗାରଙ୍ଗ ସାଂସ୍କୃତିକ ଓ ପ୍ରତିଭା ପୂଜା କାର୍ଯ୍ୟକ୍ରମରେ ବିଶିଷ୍ଟ ଅଭିନେତା ମିହିର ଦାସଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଏଥିସହ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ‘ସିନେମା ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ। ଏହା ବ୍ୟତୀତ ଚଳଚ୍ଚିତ୍ର ଓ ଧାରାବାହିକର ବିଭିନ୍ନ ବିଭାଗରେ କଳାକାରମାନଙ୍କୁ ୬୦ଟି ପୁରସ୍କାର ସହ ସମ୍ବର୍ଧିତ କରାଯିବ। ଏହା ମଧ୍ୟରେ ଶ୍ରୀକ୍ଷେତ୍ରରୁ ୪ ଜଣ କଳାକାରଙ୍କୁ ମଞ୍ଚରେ ସମ୍ମାନିତ କରାଯିବ। କଟକ ଓ ଭୁବନେଶ୍ବରର କଳାକାରଙ୍କୁ ନେଇ ଆଧୁନିକ ନୃତ୍ୟ, ଫ୍ୟାସନ୍‌ ସୋ’ ଓ ସଂଗୀତ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା ରହିଛି। ସିନେ ଓ ଧାରାବାହିକ କଳାକାରମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିବେ।

ଉତ୍ସବ କମିଟିର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ, ଉପଦେଷ୍ଟା ବାପୁ ଲେଙ୍କା, କେଦାର ମିଶ୍ର ଓ ସମ୍ପାଦକ ନବକିଶୋର ପ୍ରଧାନଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତା ଏହି କାର୍ଯ୍ୟକ୍ରମ ପରିଚାଳନା କରିବେ। ଆଜି ପାନ୍ଥନିବାସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟିର କିଛି ସଦସ୍ୟଙ୍କ ସମେତ ଅଭିନେତା ଭଗବାନ ବେହେରା, ନରେନ୍ଦ୍ର, ଦେବେନ୍ଦ୍ର ମହାପାତ୍ର, ରଜନୀକାନ୍ତ ମିଶ୍ର, ସଂଗ୍ରାମ କାନୁନ୍‌ଗୋ, ସଂଜୟ ପ୍ରଧାନ, ସ୍ମିତାଞ୍ଜଳି ପତି, ନିତୁ ପ୍ରିୟଦର୍ଶିନୀ, ନନ୍ଦିତା ପ୍ରିୟଦର୍ଶିନୀ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ରାଜେଶ କୁମାର ମହାନ୍ତି, ନାରାୟଣ ମହାସୁଆର, ଶମ୍ଭୁ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି।

By amfnews

Related Post