Fri. Apr 24th, 2026

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ

154 Views

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୁଞ୍ଜକାନ୍ତ ଠାରେ ଥିବା ଏକ ଫାଇନାନ୍ସ କମ୍ପାନୀର ଅଫିସ୍‌ରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଲାପଟପ୍‌, ମୋବାଇଲ ଓ ସୁନାଗହଣା ଲୁଟି ନେଇଛନ୍ତି।

ଗତକାଲି ରାତି ପ୍ରାୟ ୮.୩୦ରେ  ୭ ରୁ ୮ ଜଣ ଡକାୟତ ମୁଣ୍ଡରେ ହେଲମେଟ୍ ପିନ୍ଧି କମ୍ପାନୀର ଅଫିସ୍ ଭିତରେ ପଶି ୪ ଜଣ କର୍ମଚାରୀଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ଲୁଟ୍‌ପାଟ୍ କରିବା ପରେ ବାହାରେ ତାଲା ପକାଇ ବାଇକ୍ ସାହାଯ୍ୟରେ ଫେରାର୍ ହୋଇ ଯାଇଥିଲେ। ଖବର ପାଇ ପୁଲିସ୍‌ ଆହତ କର୍ମଚାରୀମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

ଏ ଘଟଣା ନେଇ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ସୁନେଶ୍ ପ୍ରଧାନ କହିଛନ୍ତି, “ରାତି ପ୍ରାୟ ସାଢ଼େ ଆଠଟା ବେଳେ ଆମେ ୪ ଜଣ କର୍ମଚାରୀ ଖାଇ ବସିଥିଲୁ। ଏହି ସମୟରେ ୭ରୁ ୮ ଜଣ ଡକାୟତ ଅଫିସ୍ ଭିତରକୁ ପଶି ଆସିଥିଲେ। ସେମାନେ ସମସ୍ତେ ହେଲ୍‌ମେଟ୍ ପିନ୍ଧିଥିଲେ ଓ ସମସ୍ତଙ୍କ ମୁହଁରେ ରୁମାଲ ବନ୍ଧା ହୋଇଥିଲା। ଏହା ସହିତ ସେମାନେ ହାତରେ କଟୁରୀ ଧରିଥିଲେ। ସେମାନେ ଆମକୁ ଟଙ୍କା ମାଗିଥିଲେ।  ଟଙ୍କା ନଥିବା ଆମେ କହିଥିଲୁ। ହେଲେ ସେମାନେ ଆମ କଥା ଶୁଣି ନଥିଲେ। ଲକର୍ ଚାବି ନେଇ ଖୋଲିଥିଲେ। ହେଲେ ଟଙ୍କା ପାଇ ନଥିଲେ। ଅନ୍ୟ କୋଉଠି ଲୁଚାଇ କି ରହିଛ କହି ସେମାନେ ଆମକୁ ଆକ୍ରମଣ କରିଥିଲେ। ତା’ପରେ ଆମ ୪ ଜଣଙ୍କ ମୋବାଇଲ୍, ଦୁଇଟି ଲାପଟପ୍‌, ଗୋଟିଏ ସୁନା ମୁଦି ଓ ଗୋଟିଏ ମଙ୍ଗଳସୂତ୍ର ନେଇ ପଳାଇ ଯାଇଥିଲେ।”

ଫାଇନାନ୍ସ କମ୍ପାନୀ ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

By amfnews

Related Post