Thu. Sep 3rd, 2026

ପ୍ରୟାଗରାଜ ‘କୁମ୍ଭମେଳା’କୁ ଯୋଡ଼ିବ ଇଣ୍ଡିଆନ ଏୟାରଲାଇନ୍ସ, ୧୩ରୁ ଅପରେଶନ ଆରମ୍ଭ

258 Views

ନୂଆଦିଲ୍ଲୀ, ଜାନୁଆରୀ ୦୫  : ଉତ୍ତରପ୍ରଦେଶର ପ୍ରୟାଗରାଜ କୁମ୍ଭମେଳାକୁ ଇଣ୍ଡିଆନ୍‌ ଏୟାରଲାଇନ୍ସର ବିମାନ ଯୋଡ଼ିବ। ଏଥିପାଇଁ ଆଗାମୀ ଜାନୁଆରୀ ୧୩ରୁ ଅପରେଶନ ଆରମ୍ଭ ହେବ। ଇଣ୍ଡିଆନ ଏୟାରଲାଇନ୍ସ ଶୁକ୍ରବାର ଏହି ଘୋଷଣା କରିଛି। ସରକାରୀ ବିମାନ କମ୍ପାନୀ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ଆଗାମୀ ମାର୍ଚ୍ଚ ୩୦ ଯାଏଁ ଜାତୀୟ ରାଜଧାନୀ ଦିଲ୍ଲୀ, ଅହମଦାବାଦ ଓ କୋଲକାତାରୁ ଏହି ସେବା ଯୋଗାଇ ଦିଆଯିବ।

ପୂର୍ବରୁ ଶସ୍ତାରେ ଉଡାନ ସେବା ଦେଉଥିବା କମ୍ପାନୀ ‘ସ୍ପାଇସ୍‌ ଜେଟ୍‌’ ଦିଲ୍ଲୀରୁ ପ୍ରୟାଗରାଜ ମଧ୍ୟରେ ପ୍ରତିଦିନ ବିମାନ ସେବା ଯୋଗାଇବା ନେଇ ଘୋଷଣା କରିଛି। ସ୍ପାଇସ୍‌ ଜେଟ ଜାନୁଆରୀ ୬ରୁ ମାର୍ଚ୍ଚ ୩୦ ମଧ୍ୟରେ ଏହି ସେବା ଯୋଗାଇବ।

ଉତ୍ତରପ୍ରଦେଶ ସରକାର କୁମ୍ଭମେଳା ସମୟରେ ହିମାଚଳ ସଡ଼କ ପରିବହନ ନିଗମ (ଏଚ୍‌ଆର୍‌ଟିସି)କୁ ରାଜ୍ୟର ବିଭିନ୍ନ ଅଂଚଳରୁ ୫୦୦ ସ୍ୱତନ୍ତ୍ର ବସ ଚଳାଇବା ପାଇଁ ନିବେଦନ କରିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ଉପେନ୍ଦ ତିଓ୍ଵାରୀ ହିମାଚଳ ପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ମନ୍ତ୍ରୀ ଆଚାର‌୍ୟ୍ୟ ଦେବବ୍ରତଙ୍କ ସହିତ ଶୁକ୍ରବାର ଆଲୋଚନା କରିଛନ୍ତି।

ଆଗାମୀ ଜାନୁଆରୀ ୧୫ରୁ ଆରମ୍ଭ ହେଉଥିବା କୁମ୍ଭମେଳାରେ ପାଖାପାଖି ୧୨ କୋଟି ଶ୍ରଦ୍ଧାଳୁ ଆସୁଥିବା ଆଶା କରାଯାଉଛି। କୁମ୍ଭମେଳା ବିଶ୍ୱର ଏକ ବୃହତ୍ତ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମେଳା ହୋଇଥିବାରୁ ଏହାକୁ ୟୁନେସ୍କୋ ଦ୍ୱାରା ମାନ୍ୟତା ଦିଆଯାଇଛି। ଏହି ମେଳା ମାର୍ଚ୍ଚ ୪ରେ ଶେଷ ହେବ। ପ୍ରାୟ ୧୯୨ଟି ଦେଶରୁ ଶ୍ରଦ୍ଧାଳୁ ଏଠାକୁ ଆସିବା ପୂର୍ବାନୁମାନ କରାଯାଉଛି।

By amfnews

Related Post