Sat. Sep 5th, 2026

ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଜେଲ‌୍ ଗଲେ ଯୁବକ

339 Views

ବାଲିଅନ୍ତା : ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ମାମଲାରେ ବାଳକାଟି ଫାଣ୍ଡି ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଫାଣ୍ଡି ଅନ୍ତର୍ଗତ ଶିଶିଲୋ ଗ୍ରାମର ନାରଣ ବେହେରା(୩୫)। ତାଙ୍କ ବିରୋଧରେ ଏହି ଗ୍ରାମର ବିଶ୍ବନାଥ ଦାସଙ୍କ ପତ୍ନୀ ଅନୁପମା ଦାସ ମଙ୍ଗଳବାର ପୂର୍ବାହ୍ନରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। କୋର୍ଟରେ ଜାମିନ ଆବେଦନ ନାମଂଜୁର ହୋଇଯିବାରୁ ନାରଣଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି। ପୁଲିସ ସୂଚନା ମୁତାବକ, ଉପରୋକ୍ତ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି। ମା’ ମଙ୍ଗଳାଙ୍କ ଘର ତିଆରି ପାଇଁ ଗଦା ହୋଇଥିବା ପଥରକୁ ନେଇ ଗତ ୧୧ ତାରିଖରେ ସଂପୃକ୍ତ ଦୁଇ ପରିବାର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗତକାଲି ସକାଳେ ପୁଣି ବିବାଦ ଉଗ୍ରରୂପ ନେଇଥିଲା। ଠେଙ୍ଗାବାଡ଼ିରେ ଦୁଇ ପରିବାର ଲୋକ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ବିଶ୍ବନାଥଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ଏବେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୋଗକୁ ଭିତ୍ତି କରି ଦୁଇ ପକ୍ଷଙ୍କ ନାମରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି।

By amfnews

Related Post