Thu. May 14th, 2026

ପ୍ରଶାନ୍ତ ମହାସାଗରରେ ୮. ୨ ତୀବ୍ର ଭୂମିକମ୍ପ

266 Views

ଓ୍ଵାସିଂଟନ୍‌: ରବିବାର ଦିନ ଫିଜି ଏବଂ ଟୋଙ୍ଗା ନିକଟବର୍ତ୍ତୀ ପ୍ରଶାନ୍ତ ମହାସାଗର ମଧ୍ୟରେ ୮. ୨ ତୀବ୍ରତା ସମ୍ପନ୍ନ ଗୋଟାଏ ପ୍ରଚଣ୍ଡ ଭୂମିକମ୍ପ ସଂଘଠିତ ହୋଇଛି। କିନ୍ତୁ ଏହି କମ୍ପନ ଭୂଗର୍ଭର ଅତି ଗଭୀରରେ ହୋଇଥିବାରୁ କୌଣସି କ୍ଷୟକ୍ଷତିର କାରଣ ହେବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ କହିଛି।

ଅତି ଗଭୀରରେ ସଂଘଠିତ ହୋଇଥିବାରୁ ସୁନାମି ହେବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସୁନାମି ଓ୍ଵାର୍ଣ୍ଣିଙ୍ଗ୍‌ ସେଣ୍ଟର୍‌ କହିଛି। ଭୂଗର୍ଭର ୫୬୦ କିଲୋମିଟର୍‌ ଅଭ୍ୟନ୍ତରରେ ଥିଲା ଏହି କମ୍ପନର କେନ୍ଦ୍ରସ୍ଥଳ। ଲୋକେ କମ୍ପନ ଅନୁଭବ କରି ପାରିବେ ସତ କିନ୍ତୁ, ଏହାଦ୍ୱାରା କୌଣସି ଧନଜୀବନ ହାନି ହେବାର ଆଶଙ୍କା ନାହିଁ।

ରିକ୍ଟର୍‌ ସ୍କେଲ୍‌ରେ ଏହି କମ୍ପନ ୮.୦ ବୋଲି ପ୍ରଥମେ ଖବର ଆସିଥିଲା, କିନ୍ତୁ, ଏହା ୮. ୨ ବୋଲି ପରେ ଜଣାପଡ଼ିଲା। ଯଦି ଏହା ଭୂଗର୍ଭର ଏତେ ଅଭ୍ୟନ୍ତରରେ ସଂଘଠିତ ହୋଇ ନ ଥାନ୍ତା ତେବେ ଭୟବହ କ୍ଷୟକ୍ଷତି କରି ଥାଆନ୍ତା।

ଫିଜିର ଲେଭୁକାର ପୂର୍ବଆଡ଼କୁ ୨୭୦ କିଲୋମିଟର ଏବଂ ଟୋଙ୍ଗାର ନିଆଫୁର ପଶ୍ଚିମ ଆଡ଼କୁ ୪୪୩ କିଲୋମିଟର୍‌ ମଧ୍ୟରେ ଏହି ଭୂକମ୍ପନର କେନ୍ଦ୍ରସ୍ଥଳର ଅବସ୍ଥିତି।

By amfnews

Related Post