Fri. Jul 10th, 2026

ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

201 Views

ଭୁବନେଶ୍ୱର : ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ପାଇଁ ସେ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଶ୍ରୀ ରାଓଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।କଟକ ବଡ଼ ଡାକ୍ତରଖାନାରୁ ମିଳିଥିବା ସୂଚନେ ଅନୁଯାୟୀ, ପ୍ରକାଶ ରାଓଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। ତାଙ୍କୁ ଭେଷଜ ବିଭାଗର ଆଇସିୟୁରେ ରଖାଯାଇଛି।

ଗତକାଲି ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ରାଓ ଯାଉଥିଲେ। ଏହି ସମୟରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ସୂଚନାଯୋଗ୍ୟ, ଡି.ପ୍ରକାଶ ରାଓଙ୍କର କଟକ ବକ୍ସି ବଜାରରେ ଏକ ଚା’ ଦୋକାନ ରହିଛି। ସେଥିରୁ ଉପାର୍ଜିତ ଅର୍ଥକୁ ସେ ବସ୍ତି ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରନ୍ତି। ସେଥିପାଇଁ ସେ ଏକ ସ୍କୁଲ୍‌ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଏହାଛଡ଼ା ଶ୍ରୀ ରାଓ ବଡ଼ ମେଡିକାଲ୍‌ରେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ‘ମନକି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବହୁତ ପ୍ରଶଂସା କରିଥିଲେ। ପଦ୍ମଶ୍ରୀ ରାଓ ୨୦୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି। ସେ ଏବେ ରକ୍ତଦାତା ମହାସଂଘର ମୁଖ୍ୟ ଉପଦେଷ୍ଟା ମଧ୍ୟ ଅଛନ୍ତି।

By amfnews

Related Post