Sat. May 16th, 2026

ପୋସ୍କୋ ପ୍ରସ୍ତାବିତ ଜମିରେ ଜିନ୍ଦଲ ପ୍ରକଳ୍ପକୁ ବିରୋଧ

200 Views

ଭୁବନେଶ୍ୱର : ପୋସ୍କୋ ପ୍ରସ୍ତାବିତ ଜମି ଉପରେ ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌ କମ୍ପାନି ସ୍ଥାପନ ପାଇଁ ସରକାରୀ ଅନୁମତିକୁ ଘୋର ବିରୋଧ କରିଛି ଗାଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ(ଗାସ)। ସଂଗଠନର ଚାରିଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ଗତ ୧୯ ତାରିଖରେ ଜଗତସିଂହପୁର ଜିଲ୍ଲା, ଏରସମା ତହସିଲ୍‌ ଅନ୍ତର୍ଗତ ଢିଙ୍କିଆ, ଗୋବିନ୍ଦପୁର, ଗଡ଼କୁଜଙ୍ଗ ଓ ନୋଳିଆ ସାହି ଗ୍ରାମ ଗସ୍ତ କରି ସମ୍ପୃକ୍ତ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରିଛି। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ପୋସ୍କୋ ଫେରିଯିବା ପରେ ରାଜ୍ୟ ସରକାର ନିଜ ଜିଦ୍‌କୁ ସଫଳ କରିବା ପାଇଁ ଜିନ୍ଦଲକୁ ପୁଣି ଜମି ହସ୍ତାନ୍ତର କରିଛନ୍ତି। ଗୁରୁବାର ଲୋହିଆ ଏକାଡେମିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗାସ୍‌ ଏପରି ଅଭିଯୋଗ କରିଛି।

ଜିନ୍ଦଲ କମ୍ପାନି ପ୍ରକଳ୍ପକୁ ବାତିଲ କରିବା, ଜଙ୍ଗଲ ଅଧିକାର ଆଇନ ବଳରେ ସ୍ଥାନୀୟ ବାସିନ୍ଦାଙ୍କୁ ପଟ୍ଟା ଦେବା, ପୋସ୍କୋ ସଂକ୍ରାନ୍ତୀୟ ଆପରାଧିକ ମାମଲା ପ୍ରତ୍ୟାହାର, ଜନଶୁଣାଣି ପୂର୍ବରୁ ପରିବେଶ ପ୍ରଭାବ ଜନିତ ତଥ୍ୟ ଦେବା, ଜନଶୁଣାଣିରେ ଲୋକଙ୍କ ସହ ‘ପରାମର୍ଶ’ ଅପେକ୍ଷା ପ୍ରଭାବିତ ଲୋକଙ୍କ ‘ଅନୁମତି’ ନେବା ପାଇଁ ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ ଆଣିବା ‘ଗାସ୍‌’ ଦାବି କରୁଛି ବୋଲି ସଂଗଠନର ସାଧାରଣ ସମ୍ପାଦକ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହା ନ ହେଲେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦାନା ବାନ୍ଧୁଥିବା ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ସେ ଚେତାବନୀ ଦେଇଛନ୍ତି।

By amfnews

Related Post