Tue. Oct 13th, 2026

ପୁଲିସ୍‌ କବଜାରେ ନକଲି ଡାକ୍ତର

235 Views

ରାଉରକେଲା: ଦୀର୍ଘ ଦିନର ଛକାପଞ୍ଝା ପରେ ନକଲି ସାର୍ଟିଫିକେଟ୍ ଦେଇ ଡାକ୍ତର ସାଜିଥିବା ପଦ୍ମନାଭନ ମୁଖୀ କାରୁଆଙ୍କୁ ଗିରଫ କରିଛି ପୁଲିସ୍‌ ।  ରାଉରକେଲା ସେକ୍ଟର-୧୫ସ୍ଥିତ  ଘରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଉଠାଇ ନେଇଛି ସୁନ୍ଦରଗଡ଼ ପୁଲିସ୍‌ ଓ ହାତୀବାରି ପୁଲିସ୍‌। ସୁନ୍ଦରଗଡ଼ ଟାଉନ୍ ଥାନାରେ ଏସ୍‌ପି ସୌମ୍ୟ ମିଶ୍ରଙ୍କ ସମେତ ବରିଷ୍ଠ ପୁଲିସ୍‌ ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି। ଏଥିସହ ତାଙ୍କ ସାଟିଫିକେର୍ଟର ସତ୍ୟାସତ୍ୟ ନେଇ ଯାଞ୍ଚ ଚାଲିଛି। ଘଟଣାର ଖୋଳତାଡ଼ ନିମନ୍ତେ ସୁନ୍ଦରଗଡ଼ ପୁଲିସ୍‌ର ଏକ ଟିମ୍‌ ବୁର୍ଲା ମେଡିକାଲ କଲେଜ ଯିବ ବୋଲି ଜଣାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ଆଖିରେ ଧୂଳି ଦେଇ ନକଲି ସାର୍ଟିଫିକେଟ ବଳରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୧୬ ମସିହାରେ ନିଯୁକ୍ତି ପାଇଥିଲେ ପଦ୍ମନାଭନ।  ମିଛ ଡାକ୍ତରୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିବା ସହ ତିନି ବର୍ଷ କାଳ ରୋଗୀଙ୍କ ଜୀବନ ସହ ଖେଳି ଚାଲିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସେ ଫେରାର ହୋଇଯାଇଥିଲେ।

ନିଯୁକ୍ତି ବେଳେ ପଦ୍ମନାଭନ ୨୦୦୨ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଏମ୍‌ବିବିଏସ୍ ପାସ୍ କରିଥିବାର ପ୍ରମାଣପତ୍ର ଦାଖଲ କରିଥିଲେ। ଏହା ପୂର୍ବରୁ ସେ ଏହି ପ୍ରମାଣପତ୍ର ଦେଖାଇ ହାଇଟେକ ମେଡିକାଲ, ରେଳବାଇ, ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗରେ କାମ କରିଥିଲେ। ଏସବୁ ସ୍ଥାନରେ ପ୍ରମାଣ ପତ୍ର ନେଇ ଖୋଳତାଡ଼ ଆରମ୍ଭ ହେବାରୁ ଚାକିରୀ ଛାଡ଼ି ଦେଇଥିଲେ। ଶେଷରେ ନୂଆଗାଁ ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେଇଥିଲେ। ତିନି ବର୍ଷ  ରୋଗୀସେବା କରିବା ସହ ଦରମା ମଧ୍ୟ ନେଇଥିଲେ।  ଏହି ଘଟଣାର ଚେର କେଉଁ ଯାଏ ଲମ୍ବିଛି, ମିଥ୍ୟ ସାଟିଫିକେର୍ଟ ଦେଇ କିପରି ଚାକିରି ହାତେଇବାରେ ସକ୍ଷମ ହେଲେ ପଦ୍ମନାଭନ, ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

By amfnews

Related Post