Sun. Apr 26th, 2026

ପୁରୀ : ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

179 Views

ପୁରୀ : ମହାପ୍ରଭୁଙ୍କ ମହାପ୍ରସାଦକୁ ଅଳିଆଗଦାରେ ପିଙ୍ଗାଯାଉଛି । ଅନ୍ୟ କେଉଁଠି ନୁହେଁ, ଖୋଦ୍ ଶ୍ରୀକ୍ଷେତ୍ରରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି। ପୁରୀ ରେଳବାଇ ହବିଷ୍ୟାଳି ଶିବିରରେ ଏଭଳି ଦୃଶ୍ୟ ଶ୍ରୀଜଗନ୍ନାଥପ୍ରେମୀ ତଥା ଭକ୍ତଙ୍କୁ ମର୍ମାହତ କରିଛି। ଯିଏ ବି ଏ ଭଳି କରୁଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥପ୍ରେମୀ, ସେବାୟତ ଓ ଭକ୍ତ ମହଲ ଦାବି କରିଛି।

ମହାପ୍ରସାଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୁଲ୍ୟ। ମହାପ୍ରସାଦ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହ ସମାନ। ଏହି ଅଗାଧ ବିଶ୍ବାସ ବିଶ୍ବବାସୀଙ୍କ ମନରେ ସର୍ବଦା ଜୀବନ୍ତ ରହିଛି। ମହାପ୍ରସାଦ ହେଉଛି ଏକମାତ୍ର ପ୍ରସାଦ, ଯେଉଁଠି ସଙ୍କୁଡ଼ି ବୋଲି କିଛି ଶଦ୍ଦ ନଥାଏ। ମହାପ୍ରସାଦରୁ ହିଁ ସମସ୍ତ ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ। ତଥାପି ହବିଷ୍ୟାଳି ଶିବିରରେ ଏହାକୁ ଅସମ୍ମାନ କରାଯାଉଥିବା ଘଟଣାକୁ ନେଇ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି।

ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ତିନିଟି ହବିଷ୍ୟାଳି ଶିବିର ଖୋଲି ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ରେଳୱେ ହବିଷ୍ୟାଳି ଶିବିରରେ ଦୈନିକ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅଧିକାଂଶ ସମୟରେ ଏଠାରେ ମହାପ୍ରସାଦ ପୁରୀ ପୌରସଂସ୍ଥା ଯୋଗାଇ ଦେଇଥିବା ଡଷ୍ଟ୍‌ବିନରେ ପିଙ୍ଗାଯାଉଛି। କେବଳ ବଳକା ନୁହେଁ, କୁଡ଼ୁଆ ସହ ମହାପ୍ରସାଦକୁ ଏଠାରେ ଫିଙ୍ଗି ଦିଆଯାଉଛି। ଆଜି ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତ, ଶ୍ରୀଜଗନ୍ନାଥପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମହାପ୍ରଭୁଙ୍କ ଏହି ଅମୂଲ୍ୟ ମହାପ୍ରସାଦକୁ ଏଭଳି ଅଳିଆ ଗଦାରେ ଫିଙ୍ଗି ଦିଆଯିବା, କେବଳ ମହାପ୍ରସାଦ ନୁହେଁ, ଶ୍ରୀଜଗନ୍ନାଥ ଓ ଏହାର ସଂସ୍କୃତିକୁ ଅପମାନ ବୋଲି ଅଭିଯୋଗ କରିଛନ୍ତି। ଯଦି ଆଗକୁ ଏ ଦିଗରେ କିଛି ପଦକ୍ଷେପ ନିଆ ନଯାଏ, ଭକ୍ତମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

By amfnews

Related Post