Mon. Jul 27th, 2026
262 Views

ନୂଆଦିଲ୍ଲୀ: ବଲିଉଡ୍ ଗାୟିକା କନିକା କପୁରଙ୍କ ପରିବାର ତଥା ପ୍ରଶଂସକଙ୍କ ପାଇଁ ଏକ ଦୁଃଖ ଖବର। ଦ୍ୱିତୀୟଥର ନମୁନା ପରୀକ୍ଷଣରେ ମଧ୍ୟ କନିକା କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହା ପୂର୍ବରୁ ସେ ସଂକ୍ରମିତ ବୋଲି ଜାଣି ମଧ୍ୟ ଏକ ହୋଟେଲରେ ରହି ଲୋକଙ୍କ ସହ ପାର୍ଚି କରିଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ କିଙ୍ଗ୍ ଜର୍ଜସ୍ ମେଡିକାଲ ୟୁନିଭର୍ସିଟିରେ ଆଇସୋଲେସନରେ ରଖାଯାଇଥିଲା।

କନିକା ହେଉଛନ୍ତି ବି-ଟାଉନର ପ୍ରଥମ ତାରକା ଯିଏ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ। ଏହା ଜଣାପଡ଼ିବା ପରଠାରୁ ସେ ବିବାଦରେ ରହିଆସିଛନ୍ତି। କେବେ ସଂକ୍ରମିତ ବୋଲି ଲୁଚାଇବା ତ ପୁଣି କେବେ ଠିକ୍ ତଥ୍ୟ ନ ଦେବା। ଏପରି କି ଚିକିତ୍ସାରେ ଡାକ୍ତରଙ୍କୁ ଅସହଯୋଗ କରିବା ଭଳି ଅଭିଯୋଗ ମଧ୍ୟ ତାଙ୍କ ବିରୁଦ୍ଧରେ ଆସିଛି। ଏହାରି ଭିତରେ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏସଜିପିଜିଆଇ)ଠାରେ କନିକାଙ୍କ ଦ୍ୱିତୀୟ ଥର ନମୁନା ପରୀକ୍ଷଣ କରାଯାଇଥିଲା। ଆଉ ଏଥିରୁ ସେ କରୋନା ସଂକ୍ରମିତ ଥିବା ପୁଣି ଜଣାପଡ଼ିଛି। ଏହାଦ୍ୱାରା ଜଣାପଡ଼ିଛି ଯେ, ଚିକିତ୍ସାର କୌଣସି ପ୍ରକାର ପ୍ରଭାବ ତାଙ୍କ ଉପରେ ପଡ଼ିନାହିଁ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚିକିତ୍ସା ସମୟରେ ଜଣେ ରୋଗୀ ନୁହେଁ ବରଂ ତାରକାଙ୍କ ଭଳି ନଖରା ଦେଖାଇବା ସହ କନିକା ଡାକ୍ତରଙ୍କୁ ଅସହଯୋଗ କରୁଥିଲେ। ଏନେଇ ଏସଜିପିଜିଆଇ ଡାକ୍ତର ଆର୍.କେ ଧିମନ କହିଛନ୍ତି କନିକା ଚିକିତ୍ସା କରିବା ସମୟରେ ଜଣେ ଷ୍ଟାର ଭଳି ନଖରା ଦେଖାଉଥିଲେ। ସୂଚନା ଯେ, କନିକାଙ୍କ ରିପୋର୍ଟରେ କିଛି ତଥ୍ୟ ଏପଟସେପଟ ଥିବାରୁ ଅନେକ ବିବାଦ ଉପୁଜିଥିଲା। ଯେପରି ରିପୋର୍ଟରେ କନିକାଙ୍କୁ ପୁରୁଷ ବୋଲି ଲେଖାଯାଇଥିବା ବେଳେ ତାଙ୍କ ବୟସ 28 ବୋଲି ଦର୍ଶାଯାଇଥିଲା। ଏଭଳି ବ୍ୟତିକ୍ରମ ଯୋଗୁ କନିକା କରୋନା ସଂକ୍ରମିତଲ କି ନୁହେଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ପୁଣି ଥରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲେ। ଆଉ ସେଥିରେ କନିକା କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛି।

By amfnews

Related Post