Fri. Apr 24th, 2026

ପିସିସି ସଭାପତିଙ୍କୁ ମନାଇବାକୁ କଂଗ୍ରେସ ନେତାଙ୍କ ଉଦ୍ୟମ, ମୋକିମଙ୍କୁ ସଭାପତି କରିବାକୁ ଦେଲେ ପ୍ରସ୍ତାବ

185 Views

ଭୁବନେଶ୍ବର: ବୁଧବାର ପାନ୍ଥନିବାସରେ କିଛି ନେତା ମେଳି କରି ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକଙ୍କୁ ହଟାଇବାକୁ ଆଲୋଚନା କରିଥିଲେ। ଏ ଖବର ପ୍ରକାଶ ପରେ ଏବେ ପୁଣି ଥରେ ତାଳି ପକାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ସେହି ନେତାମାନେ ଖୋଦ ପିସିସି ସଭାପତିଙ୍କ ବାସଗୃହକୁ ଯାଇ ଶ୍ରୀ ପଟ୍ଟନାୟକଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି। କଂଗ୍ରେସ ନେତାଙ୍କ ସହ ଏହି ଆଲୋଚନା ଦଳୀୟ ଆଭ୍ୟନ୍ତରୀଣ ବ୍ୟପାର ବୋଲି କହି ପିସିସି ସଭାପତି ଏଡାଇ ଯାଇଥିଲେ ହେଁ କଂଗ୍ରେସ ନେତା ବିଶ୍ବଜିତ ଦାସ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବାକୁ ଶ୍ରୀ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଥିବା ଗଣମାଧ୍ୟମରେ ଆଗରେ କହିଛନ୍ତି।

ଶୁକ୍ରବାର ସକାଳେ କିଛି କଂଗ୍ରେସ ନେତା ଶ୍ରୀ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଶ୍ରୀ ଦାସଙ୍କ ବ୍ୟତୀତ ସନତ ଦାସ, ନିକୁଞ୍ଜ ପଶାୟତ, ସାଲୁ ପରିଜା ଓ ଅବଦୁଲ ବାରି ପ୍ରମୁଖ ସାମିଲ ହୋଇଥିଲେ। ଆଲୋଚନା ବେଳେ ପିସିସି ସଭାପତିଙ୍କ ମାନ ଭଞ୍ଜନ କରିବାକୁ କଂଗ୍ରେସ ନେତାମାନେ ଉଦ୍ୟମ କରିଥିଲେ। କହିଥିଲେ, ଗତ ବୁଧବାର ଦିନ ବୈଠକରେ ସେମାନେ ଦଳର ସଂଗଠନକୁ ମଜବୁତ କରିବା ନେଇ ଆଲୋଚନା କରିଥିଲେ। ବୈଠକରେ ଶ୍ରୀ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ନେଇ କୌଣସି ଆଲୋଚନା ହୋଇନଥିଲା। ବାରମ୍ବାର ନିର୍ବାଚନରେ ଦଳର ବିପର୍ଯ୍ୟୟ ଘଟୁଥିବାରୁ ଲୋକଙ୍କ ଭରସା ଦଳ ଉପରୁ ଉଠିଗଲାଣି। କିପରି ଦଳ ଲୋକଙ୍କ ଆସ୍ଥାଭାଜନ ହେବ ସେ ନେଇ ଆଲୋଚନା ହୋଇଥିବା ନେଇ ପିସିସି ସଭାପତିଙ୍କୁ ବୁଝାଇଥିଲେ। ଆଲୋଚନା ନେଇ ପିସିସି ସଭାପତି କିଛି କହିବାକୁ ମନା କରିଦେଇଥିଲେ ବି କଂଗ୍ରେସ ନେତା ବିଶ୍ବଜିତ ଦାସ ଜଣେ ଯୁବନେତାଙ୍କୁ ପ୍ରଦେଶ କଂଗ୍ରେସର ଦାୟିତ୍ବ ଦେବାକୁ ଶ୍ରୀ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ। ଏ ନେଇ ବିଧାୟକ ମହମ୍ମଦ ମୋକିମଙ୍କ ନାମ ପିସିସି ସଭାପତିଙ୍କୁ ଜଣାଇଥିବା ନେଇ ଶ୍ରୀ ଦାସ ଗଣମାଧ୍ୟମ ଆଗରେ କହିଥିଲେ।

By amfnews

Related Post