Sat. Apr 25th, 2026

ପିଲାଦିନରୁ ଗୋଡ ହରାଇ ଥିବା ବେବିକା ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି

167 Views

ବରଗଡ଼: ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ଅବସରରେ ଆଦିବାସୀ ପଡ଼ିଆଠାରେ ଆୟୋଜିତ ପ୍ରଦର୍ଶନୀରେ ବରଗଡ଼ ଜିଲ୍ଲାରୁ ଆସିଥିବା ବେବିକା ସେ’ଙ୍କ ହାତ ତିଆରି ଅନେକ ସାମଗ୍ରୀ ଦେଖିବାକୁ ମିଳିଛି। ବେବିକାଙ୍କ ପିଲା ଦିନୁ ଗୋଡ଼ ଦୁଇଟି ନାହିଁ ସିନା, ହେଲେ ପେଟ ପୋଷିବା ତଥା ନିଜ ଆବଶ୍ୟକତା ପୂରଣ ପାଇଁ ସେ ଅନ୍ୟ ଉପରେ ନିର୍ଭର କରିବାକୁ ପ୍ରସ୍ତୁତ ଭଲ ପାଆନ୍ତି ନାହିଁ। ଏଣୁ ନିଜ ଗୋଡ଼ରେ ନିଜେ ଠିଆ ହୋଇ ବେବିକା ଏ ସମାଜ ଓ ଅନ୍ୟ ଭିନ୍ନକ୍ଷମଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି ।

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ଜାରିଙ୍ଗ୍‌ ଅଞ୍ଚଳରୁ ଆସିଥିବା ବେବିକା କୁହନ୍ତି, ‘ଆଗରୁ ମତେ ନିଜେ ଦିବ୍ୟାଙ୍ଗ ବୋଲି ସଙ୍କୋଚ ଲାଗୁଥିଲା । ନିଜ ଭବିଷ୍ୟତ ଓ ପେଟ ପୋଷିବା ନେଇ ବହୁତ ଚିନ୍ତାଗ୍ରସ୍ତ ରହୁଥିଲି। କ’ଣ କଲେ ମୁଁ କାହା ଉପରେ ନିର୍ଭରଶୀଳ ନହୋଇ ନିଜେ ସ୍ୱାଭିମାନୀ ହୋଇପାରିବି ସେ ଚିନ୍ତା କରି ମୁଁ ଦୋକାନଟିଏ କଲି । ପରେ ୨୦୧୪ ମସିହାରେ ବରଗଡ଼ସ୍ଥିତ ବିକାଶଦୀପ୍ତି ସଂସ୍ଥାର ସହଯୋଗରେ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତିର ତାଲିମ ନେଲି । ଏହା ପରେ ନିଜର ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରି ବରଗଡ଼ ସମେତ ରାଜ୍ୟର ବିଭିନ୍ନ ମେଳା ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ବେଶ୍‌ ଦୁଇ ପଇସା ରୋଜଗାର କରିପାରୁଛୁ।’

ବରଗଡ଼ ଧନୁଯାତ୍ରାଠାରୁ ଆରମ୍ଭ କରି ରାଜ୍ୟର ପ୍ରାୟ ଛୋଡ଼ ବଡ଼ ପ୍ରଦର୍ଶନୀ/ମେଳାରେ ଯୋଗ ଦେବାର ସୁଯୋଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି । ଫଳରେ କମ୍‌ ଖର୍ଚ୍ଚରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଆମ ସାମଗ୍ରୀ ବିକ୍ରି କରିବାର ସୁଯୋଗ ମିଳିଯାଏ ବୋଲି ବେବିକା କହିଛନ୍ତି । ବରଗଡ଼ ଜିଲ୍ଲାର ମା’ ବେବଭଲକ୍ଷ୍ମୀ ଦିବ୍ୟାଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀ, ତ୍ରିବେଣୀ ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀ ଓ ତୁଳସୀ ଦିବ୍ୟାଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମଳିତ ଭାବେ ପ୍ରଦର୍ଶନୀରେ ବେବିକା ଏହି ଷ୍ଟଲ ଖୋଲିଛନ୍ତି।

By amfnews

Related Post