Thu. Jun 11th, 2026

ପିଲାଙ୍କୁ ମାଡ଼ମାରି ଥାନାକୁ ଟଣାହେଲେ ବାପା ଓ ମାଆ

317 Views

ଭୋଗରାଇ : କହିବା ମୁତାବକ ପାଠ ନପଢ଼ିବାରୁ ୨ ଜଣ ପୁଅଙ୍କ ପ୍ରତି ଜଣେ ବାପାଙ୍କ ନିର୍ଦ୍ଦୟ ଆଚରଣ ସୀମା ଟପିଛି। ଜଣେ ବ୍ୟକ୍ତି ଦୁଇପୁଅକୁ ଦଉଡ଼ିରେ ବାନ୍ଧି ଏମିତି ନିସ୍ତୁକ ମାଡ଼ ମାରିଛନ୍ତି ଯେ, ଗ୍ରାମବାସୀ ପୁଲିସ୍‌ ନିକଟରେ ଅଭିଯୋଗ କରିବା ପାଇଁ ବାଧ୍ୟ ହୋଇଛନ୍ତି। ଅଭିଯୋଗ ପରେ ପୁଲିସ ସଂପୃକ୍ତ ବାପା ଓ ମାଆଙ୍କୁ ‌ଧରିନେଇ ଥାନାରେ ଅଟକ ରଖିବା ସହ ଚେତାବନୀ ଦେଇ ଛାଡ଼ିଛି।

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଜୟରାମପୁର ଗାଁର ବିଶ୍ବନାଥ ଦଳାଇ ନିଜ ୮ ବର୍ଷ ଓ ୪ ବର୍ଷର ପୁଅକୁ ଆଜି ସକାଳେ ପାଠ ପଢ଼ିବା ପାଇଁ ତାଗିଦ କରିଥିଲେ। ଫଳରେ ପିଲା ଦୁଇଜଣ ଭୟରେ ଘର ପାଖରୁ କିଛି ଦୂରରେ ଥିବା ଏକ ନାଳ ନିକଟକୁ ଦୌଡ଼ି ପଳାଇଥିଲେ। ରାଗରେ ବିଶ୍ବନାଥ ପିଲାଙ୍କ ପଢ଼ା ବ୍ୟାଗ୍‌କୁ ପୋଡ଼ିଦେବା ସହ ସେମାନଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଗ୍ରାମବାସୀ ଏହା ଦେଖି ପିଲାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେମାନେ ବିଫଳ ହେବାରୁ ସ୍ଥାନୀୟ ସରପଞ୍ଚ ଦୀପ୍ତିମୟୀ ମିଶ୍ରଙ୍କୁ ଖବର ଦେଇଥିଲେ।

ସରପଞ୍ଚ ଶ୍ରୀମତୀ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରିବା ସହ ଭୋଗରାଇ ଥାନାକୁ ଜଣାଇଥିଲେ। ପୁଲିସ ଗ୍ରାମରେ ପହଞ୍ଚି ନିର୍ଯାତିତ ଦୁଇ ପିଲାଙ୍କ ସହ ସେମାନଙ୍କ ବାପା ଓ ମାଆଙ୍କୁ ଆଣି ଥାନାରେ ଅଟକ ରଖିବା ସହ ପଚରାଉଚରା କରିଥିଲେ। ସେହିପରି ଘଟଣା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଚାଇଲ୍‌ଡ ଲାଇନ୍‌ର ପ୍ରତିନିଧି ପ୍ରଶାନ୍ତ ରାଉତ ଥାନାରେ ପହଞ୍ଚି ଆଲୋଚନା କରିଥିଲେ। ତେବେ ପିଲାମାନଙ୍କୁ ଆଉ ଏଭଳି ମାଡ଼ କେବେ ମାରିବେ ନାହିଁ ବୋଲି ବିଶ୍ବନାଥ ଏକ ମୁଚାଲିକା ଦେଇଥିଲେ। ଫଳରେ, ପୁଲିସ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

By amfnews

Related Post