Sat. Jul 25th, 2026

ପାଞ୍ଚ ଦିନ ପାଣି ପିଇ ବଞ୍ଚିଲେ ବାଥ୍‌ରୁମ୍‌ରେ ବନ୍ଦ ହୋଇ ରହିଯାଇଥିବା ୭ ବର୍ଷୀୟ ଝିଅ

293 Views

ହାଇଦ୍ରାବାଦ: ଖେଳିବା ବେଳେ ପଡ଼ୋଶୀ ଘର ଗାଧୁଆଘରେ ପଡ଼ି ଯାଇଥିବା ଜଣେ ସାତ ବର୍ଷୀୟ ଝିଅ କେବଳ ପାଣି ପିଇ ପାଞ୍ଚ ଦିନ ବଞ୍ଚି ରହିଥିବା କଥା ପୁଲିସ କହିଛି। ଚମକପ୍ରଦ ଘଟଣାଟି ଘଟିଛି ହାଇଦ୍ରାବାଦ ଠାରୁ ପ୍ରାୟ ୧୬୦ କିଲୋମିଟର ଦୂର ତେଲେଙ୍ଗାନାର ନାରାୟଣପେଟ୍‌ ଜିଲ୍ଲା ଅନ୍ତର୍ଗତ ମଖତାଲ୍‌ ସହରରେ।ଟୁର୍‌ରେ ଯାଇଥିବା ଘରବାଲା ଗୁରୁବାର ଦିନ ଘରକୁ ଫେରି ବନ୍ଦ ଗାଧୁଆଘରେ ଝିଅଟିଏ ଶୋଇଥିବା ଦେଖି ଚମକି ପଡ଼ିଥିଲେ। ବିନା ଖାଦ୍ୟରେ କେବଳ ଗାଧୁଆଘରେ ଥିବା ପାଣି ପିଇ ବଞ୍ଚିଥିବା ଝିଅଟି ଖୁବ୍‌ ଜୀର୍ଣ୍ଣଶୀର୍ଣ୍ଣ ହୋଇ ଆସନ୍ନ ମୃତ୍ୟୁ ହେବା ପରିସ୍ଥିତିରେ ଥିଲା।

ପୁଲିସ ତଦନ୍ତରୁ ଜଣାପଡ଼ିଲା ଯେ ଏପ୍ରିଲ୍‌ ୨୦ ତାରିଖରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ସେ ଝିଅ କୁରାବାକଚେରି ଅଖିଳା ପାଖ କୋଠାର ଟେରାସ୍‌ରେ ଖେଳୁଥିବା ବେଳେ କେମିତି କ’ଣ ପଡ଼ୋଶୀ ଘରର ଗାଧୁଆଘର ଭିତରକୁ ଖସି ପଡ଼ିଥିଲା। ପ୍ଲାଷ୍ଟିକ୍‌ ଜାଲି ଲାଗିଥିବାରୁ ଛାତ ନ ଥିବା ସେ ଗାଧୁଆ ଘର ଭିତରକୁ ପଡ଼ିଲା ବେଳେ ଝିଅଟି ଆହତ ହୋଇ ନ ଥିଲା। ଭିତରେ ଲୁଗାପଟା ପଡ଼ିଥିବା ଉଲୁଗୁଣିର ଦଉଡ଼ିଟି ମଧ୍ୟ ତାକୁ ସାହା ହୋଇଥିଲା।

ପୁଲିସ ଏକ ଟିମ୍‌ ଗଠନ କରି ପଡ଼ୋଶୀ ଜିଲ୍ଲା ଏବଂ ହାଇଦ୍ରାବାଦକୁ ସୂଚନା ଦେଲା କିନ୍ତୁ କିଛି ସନ୍ଧାନ ପାଇଲା ନାହିଁ।ହାଇଦ୍ରାବାଦରୁ ବୁଧବାର ଦିନ ଘରମାଲିକ ତଥା ଶିକ୍ଷକ ଭେଙ୍କଟେଶ ଫେରିବା ପରେ ଝିଅଟିକୁ ଦେଖି ପଡ଼ିଶାମାନଙ୍କୁ ଖବର କରିଥିଲେ।ସେମାନେ ଆସି ତାକୁ ଚିହ୍ନି କହିଥିଲେ କି, ଏ ହେଉଛି ସେମାନଙ୍କ ଘରପଛରେ ରହୁଥିବା ଭଡ଼ାଟିଆଙ୍କ ଝିଅ।କଥା କହି ପାରୁ ନ ଥିବା ଅଖିଳାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇ ସାଲାଇନ୍‌ ଦିଆଯାଇଥିଲା।

By amfnews

Related Post