Sat. Oct 10th, 2026

ପାକିସ୍ତାନକୁ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ: ସ୍ଥଳସେନା ମୁଖ୍ୟ

382 Views

ନୂଆଦିଲ୍ଲୀ  : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ପାକିସ୍ତାନ ସମରସଜ୍ଜା ଆରମ୍ଭ କରୁଥିବା ଖବର ସାମ୍ନାକୁ ଆସିଛି। ସୀମା ସେପଟେ ପାକିସ୍ତାନ ସେନା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଖଞ୍ଜୁ ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପାକିସ୍ତାନର ଯଦି ଭାରତ ବିରୋଧରେ କୌଣସ ଦୁଃସାହାସ କରେ, ତା’ହେଲେ ଏହାର ଦୃଢ଼ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ଆଜି ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପନ ରାୱତ କହିଛନ୍ତି।

ସେ କହିଛନ୍ତି, “ଯଦି ପାକିସ୍ତାନ ଏଲଓସିରେ କିଛି କରିବାକୁ ଚାହୁଁଛି, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ। ସେମାନେ ତାଙ୍କ ଇଚ୍ଛାରେ ଏଲଓସିରେ ସମରସଜ୍ଜା କରୁଛନ୍ତି। ଆମେ ଆମ ସୁରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛୁ। ନିଜ ଦେଶକୁ ସୁରକ୍ଷା ଯୋଗାଇ ଦେବାର ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ପାକିସ୍ତାନ ଯଦି କୌଣସି ଦୁଃସାହାସ କରେ, ତା’ହେଲେ ଏହାର ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛି। ତେଣୁ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।”

କଶ୍ମୀର ପ୍ରସଙ୍ଗରେ ମତ ଦେଇ ସେ କହିଛନ୍ତି, “ପୂର୍ବରୁ କଶ୍ମୀରବାସୀଙ୍କ ସହ ଆମେ ଯେମିତି ମିଳିତ ଭାବେ କାର୍ଯ୍ୟ କରୁଥିଲୁ ଏବେ ବି  ସମାନ ସ୍ଥିତି ରହିଛି। ୭୦ ଓ ୮୦ ଦଶକରେ ଆମେ ବିନା ବନ୍ଧୁକରେ କଶ୍ମୀରବାସୀଙ୍କୁ ସାକ୍ଷାତ କରୁଥିଲୁ। ଆଶା ଏବେ ସେଭଳି ସ୍ଥିତି ସୃଷ୍ଟି ହେବ।”

By amfnews

Related Post