Thu. Jun 11th, 2026

ପତିତପାବନଙ୍କ ଦର୍ଶନ କରି ଫେରିଲେ ମୁଖ୍ୟମନ୍ତ୍ରୀ

277 Views

ପୁରୀ, ଜାନୁୟାରୀ ୦୨ : ଇଂରାଜୀ ନବ ବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ‌ତେବେ ଆଣ୍ଠୁରେ ଯନ୍ତ୍ରଣା କାରଣରୁ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଭିତରକୁ ନଯାଇ ସିଂହଦ୍ବାର ଗୁମୁଟରେ ବିରାଜିତ ପତିତପାବନଙ୍କୁ ମୁଣ୍ଡିଆ ମାରି ସେଠାରୁ ଫେରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଶୁଭ ମନାସିବା ସହ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ସିଧା ସ୍ବର୍ଗଦ୍ବାର ଯାଇ ବିଜୁ ବାବୁଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ମୁତାବକ, ମଧ୍ୟାହ୍ନ ୧୨ଟା ୧୦ରେ ମୁଖ୍ୟମନ୍ତ୍ରୀ ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ, ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ପ୍ରମୁଖ ତାଙ୍କୁ ସ୍ବାଗତ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମାତ୍ର ୧୦ ମିନିଟ୍ ପାଇଁ ସେଠାରେ ରହିଥିଲେ।

By amfnews

Related Post