Fri. Apr 24th, 2026

ପଞ୍ଚମ ପାସ୍‌ କରିଥିବା ବ୍ୟକ୍ତି ତିଆରି କଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହେଉଥିବା ଘର!

608 Views

କିଛି ଲୋକ ଏପରି ଥାଆନ୍ତି ଯେଉଁମାନେ ପାଠ ନପଢ଼ି ମଧ୍ୟ ଅନୁଭବକୁ ପାଥେୟ କରି ବହୁତ କିଛି କରିପାରନ୍ତି। ଏହି କଥାକୁ ସତ କରି ଦେଖାଇଛନ୍ତି ସହୁଲ ହମୀଦ ନାମକ ଜଣେ ବ୍ୟକ୍ତି। ଯିଏକି ନିର୍ମାଣ କରିଛନ୍ତି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହେଉଥିବା ଘର। ଏପରି ଘର ତିଆରି କରିବାର ଯେଉଁ କୌଶଳକୁ ଆପଣାଇବା ପାଇଁ ଇଞ୍ଜିନିୟିରଂ ଛାତ୍ରଛାତ୍ରୀ ବର୍ଷ ବର୍ଷ ବିତାଇ ଦିଅନ୍ତି, ଅତି ସହଜରେ ତାକୁ ଶିଖି ନେଇଥିଲେ ପଞ୍ଚମ ଶ୍ରେଣୀ ପାସ୍‌ କରିଥିବା ସହୁଲ। ବିନା କୌଣସି ପ୍ରଶିକ୍ଷଣରେ ସେ ଏହାକୁ ଅକ୍ତିଆର କରିପାରିଛନ୍ତି।

ଚେନ୍ନେଇର ମେଲାପୁଟୁବକ୍‌ଦୀ ନିବାସୀ ସହୁଲ୍‌ ହମିଦ୍‌ ରୋଜଗାର ପାଇଁ ସାଉଦି ଆରବ ଯାଇଥିଲେ। ଆଉ ସେଠାରେ ସେ ୨୦ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ମଜୁରି କରୁ କରୁ ସେ ଘର ତିଆରି କରିବାର କଳାକୁ ଅକ୍ତିଆର କରିଥିଲେ। ଆଧୁନିକ ଜ୍ଞାନକୌଶଳରେ କିପରି ଘର ତିଆରି ହୁଏ ସେ ସେଠାରେ ଶିଖିଯାଇଥିଲେ। ତେବେ ଘରକୁ ଫେରି ନିଜର ଏକ ଇଚ୍ଛା ବିଷୟରେ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।

ସହୁଲ ହମିଦ ଏପରି ଘର ତିଆରି କରିବା ପାଇଁ ଚାହୁଁଥିଲେ ଯାହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇହେବ। ଏପରି ଘର ବିଷୟରେ ଶୁଣି ଘରଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିବାର ଲୋକ ତାଙ୍କର ଏହି କଥାକୁ ହସରେ ଉଡ଼ାଇ ଦେଇଥିଲେ। କିନ୍ତୁ ସହୁଲ ହାର ମାନି ନଥିଲେ। ନିଜ ଉପରେ ଭରସା ରଖିଥିଲେ। ଆଉ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏପରି ଘର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଏଥିପାଇଁ ସହୁଲ ହମିଦ ରାଫ୍‌ଟ ଫିଟିଂ କୌଶଳ ଆପଣାଇଥିଲେ। ସେ ୩୦ ସେଣ୍ଟିମଟର ମୋଟେଇ ଓ ୧୦୮୦ ସ୍କୋୟାର୍‌ ଫୁଟ ସ୍ଲାବରେ ଘରର ମୂଳଦୂଆ ପକାଇଥିଲେ। ସ୍ଲାବ ତଳେ ଲୁହାର ରୋଲର ରଖିଥିଲେ। ଯାହା ସାହାଯ୍ୟରେ ଘରକୁ ମୋଡ଼ାଯାଇପାରିବ। ସେ ତିଆରି କରିଥିବା ଘରର ଗ୍ରାଉଣ୍ଡ ଫ୍ଲୋରରେ ୩ଟି ବେଡ଼ରୁମ ଓ ଏବଂ ଫାଷ୍ଟ ଫ୍ଲୋରରେ ଦୁଇଟି ବେଡ଼ରୁମ ତିଆରି କରିଥିଲେ।

ଏହି ଘର ତିଆରି ହେବାର ୮ ବର୍ଷ ହୋଇଯାଇଛି। ଆଉ ଏବେ ବି ମଜଭୁତ ଭାବରେ ଛିଡ଼ା ହୋଇଛି ସହୁଲଙ୍କ ନିର୍ମିତ ଘର। ବିଶେଷଜ୍ଞଙ୍କ ଅନୁସାରେ ଏହି ଜ୍ଞାନକୌଶଳରେ ନିର୍ମିତ ଘର ଭୂମିକମ୍ପ ନିରୋଧୀ ମଧ୍ୟ ହୋଇଥାଏ। ତେବେ ବର୍ତ୍ତମାନ ବିଭିନ୍ନ ଆଡ଼ୁ ଛାତ୍ରଛାତ୍ରୀ ତଥା ଇଞ୍ଜିନିୟରମାନେ ଏପରି ଘର ତିଆରି କରିବାର ଟିପ୍ସ ନେବା ପାଇଁ ସହୁଲଙ୍କ ନିକଟକୁ ଆସୁଛନ୍ତି।

By amfnews

Related Post