Tue. Sep 8th, 2026

ନୂଆ ଦଳ ଗଢ଼ି ପାରନ୍ତି ଦାମ

434 Views

୩ରେ ନିମାପଡ଼ା ସମାବେଶ ପା‌ଇଁ ଜୋର୍‌ଦାର୍‌ ପ୍ରସ୍ତୁତି

ପୁରୀ/ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନୂଆ ଦଳ ଗଢ଼ିବେ। ଏମିତି ଏକ ଚର୍ଚ୍ଚା ଆଜି ଜୋର୍‌ ଧରିଛି। ସିିଧାସିଧା ନ କହିଲେ ବି ଡା. ରାଉତ ଆଜି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି। ବିଜୁବାବୁଙ୍କ ଆଦର୍ଶକୁ ନେଇ କିଛି ନେତା ଏକାଠି ହେବେ ଓ ନୂଆ ଦଳ ଗଠନ ହୋଇପାରେ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନଠାରୁ ଏ ନେଇ କିଛି କୁହାଯାଇପାରିବ ନାହିଁ ବୋଲି ଡା. ରାଉତ ସୂଚାଇ ଆଲୋଚନାକୁ ରହସ୍ୟ ମଧ୍ୟକୁ ଠେଲି ଦେଇଛନ୍ତି।

ତେବେ ତାଙ୍କ ସମର୍ଥକମାନଙ୍କ କହିବା କଥା ହେଉଛି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପରେ ଏ ନେଇ କିଛି ନିଷ୍ପତ୍ତି ହୋଇପାରେ। ଅନ୍ୟପକ୍ଷରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ଅଡୁଆରେ ପକ‌ାଉଥିବ‌ା ବେଳେ ଏବେ ସିଧାସଳଖ ଜନସଭାରେ ସରକାରଙ୍କ ଦୁର୍ନୀତି ପେଡ଼ି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ମୁତାବକ, ଆସନ୍ତା ୩ ତାରିଖ ଅପରାହ୍ନ ୩ଟାରେ ନିମାପଡା ବାରବାଟି ପଡିଆରେ ଆୟୋଜିତ ଏକ ଜନସଭାରେ ଡାକ୍ତର ରାଉତ ଯୋଗ ଦେବେ। ନିମାପଡା ଦୁର୍ନୀତି ନିବାରଣ ମଂଚ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଦାମଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

୩ ତାରିଖରେ ହେବାକୁ ଥିବା ଏହି ସଭା ରାଜନୈତିକ ଗୁରୁତ୍ବ ବହନ କରୁଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି। ଅନ୍ୟପକ୍ଷରେ ଦୁର୍ନୀତି ନିବା‌ରଣ ମଂଚ ପକ୍ଷରୁ ଏହି ସଭାକୁ ସଫଳ କରିବା ପାଇଁ ଗାଁ ଗାଁରୁ‌ ଲୋକଙ୍କୁ ଆଣିବାକୁ ଯୋଜନା କରାଯାଉଛି। ସେଦିନ ଡାକ୍ତର ରାଉତ ସ୍ଥାନୀୟ ବିଧାୟକ ସମୀର ଦାସଙ୍କ ବିରୋଧରେ କିଭଳି ବିଷୋଦ୍‌ଗାର କରୁଛନ୍ତି ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ।

By amfnews

Related Post