Wed. Jul 8th, 2026

ନିରବଙ୍କ ବିଦେଶ ସମ୍ପତ୍ତି ଉପରେ ଇଡିର ନଜର

296 Views

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୩ ହଜାର କୋଟି ଟଙ୍କାର ଠକେଇର ପ୍ରମୁଖ ଅଭିଯୁକ୍ତ ତଥା ଦେଶରୁ ଲୁଚି ପଳାୟନ କରିଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ବିଦେଶରେ ଥିବା ୪ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିବାକୁ ପ୍ରୟାସ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଆମେରିକା, ବ୍ରିଟେନ୍‌, ସ୍ୱିଜରଲ୍ୟାଣ୍ଡ୍‌, ହଂକଂ ଓ ସିଙ୍ଗାପୁର ଭଳି ଦେଶରେ ନିରବଙ୍କ ଏହି ସବୁ ସମ୍ପତ୍ତି ଅଛି। ସେହି ସବୁ ଦେଶରେ ନିରବ ଘର, ଭିଲ୍ଲା ଆଦି କିଣିଥିବା ବେଳେ ମୋଟା ଅଙ୍କର ବ୍ୟାଙ୍କ ବାଲାନ୍ସ ରଖିଛନ୍ତି।
ନିରବଙ୍କ ବିଦେଶ ସମ୍ପତ୍ତିଗୁଡ଼ିକୁ ଖୋଜି ବାହାର କରିବା ପାଇଁ ଇଡି ପକ୍ଷରୁ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା। ସମ୍ପତ୍ତି ବାବଦ ତଥ୍ୟ ମିଳିଯିବା ପରେ ସେଗୁଡ଼ିକୁ ଜବତ କରିବା ପାଇଁ ଇଡି ଉଦ୍ୟମ ଆରମ୍ଭ କରିଛି। ବିଭିନ୍ନ ଦେଶକୁ ଲେଟର୍‌ ଅଫ୍‌ ରୋଗାଟୋରିଜ୍‌ ଜାରି କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମନି ଲଣ୍ଡରିଂ ନିୟମ ଆଧାରରେ ନିରବଙ୍କ ବିଦେଶ ସମ୍ପତ୍ତି ଜବତ କରିବାକୁ ଇଡି ଲକ୍ଷ୍ୟ ରଖିଛି। ବିଦେଶରେ ସଫଳତାର ସହିତ ସମ୍ପତ୍ତି ଜବତ କରିବାର ରେକର୍ଡ ଇଡିର ରହିିଛି। ଏହା ଅଷ୍ଟ୍ରେଲିଆ ଓ ଆମେରିକାରେ ଥିବା କିଛି ସମ୍ପତ୍ତି ଜବତ କରିଥିଲା। ତେଣୁ ନିରବଙ୍କ ମାମଲାରେ ସମ୍ପତ୍ତି ଜବତ କରିବାରେ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ଇଡି ଭାବୁଛି।
ଦେଶ ଭିତରେ ନିରବ ମୋଦୀଙ୍କ ଥିବା ୭୦୦ କୋଟି ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିସାରିଛି। ତାଙ୍କ ବିରୋଧରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯାଇଛି। ଚାର୍ଜସିଟ୍‌ରେ ନିରବଙ୍କ ସମେତ ୨୪ ଜଣଙ୍କ ନାମ ରହିଛି।

By amfnews

Related Post