Sun. Sep 27th, 2026

ନିବେଶକ ହରାଇଲେ ଲକ୍ଷେ କୋଟି

324 Views

ମୁମ୍ବାଇ  : ଡଲାର ତୁଳନାରେ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଓ ଆନ୍ତର୍ଜାତିକ ବଜାରରେ ଦେଖାଦେଇଥିବା ବାଣିଜ୍ୟ ଲଢ଼େଇ ନିବେଶକମାନଙ୍କ ମନୋବଳକୁ ଦୁର୍ବଳ କରିଦେଇଛି। ସେମାନେ ନିଜ ପାଖରେ ଥିବା ସେୟାରକୁ ବିକ୍ରି କରିଦେବାରୁ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସରେ ଆଜି ବଡ଼ ଧରଣର ହ୍ରାସ ଘଟିଛି। ସେନ୍‌ସେକ୍ସ ୫୦୫ ପଏଣ୍ଟ୍‌ ହ୍ରାସ ସହ ୩୭,୫୮୫ ସ୍ତରକୁ ଖସିଯାଇଛି। ସେନ୍‌ସେକ୍ସରେ ହୋଇଥିବା ଏହି ହ୍ରାସ ଯୋଗୁ ନିବେଶକମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ଷ୍ଟକ ବଜାରରେ ସେମାନଙ୍କ ଏଖ ଲକ୍ଷରୁ ଅଧିକ କୋଟି ଟଙ୍କାର କ୍ଷତି ହୋଇଛି। ବମ୍ବେ ଷ୍ଟକ ବଜାରରେ ପଞ୍ଜୀକୃତ ଥିବା ସବୁ କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୧,୫୫,୨୨,୩୪୩ କୋଟି ଟଙ୍କାକୁ ଖସିଯାଇଛି। ଏଥିରେ ଆଜି ୧,୧୪,୬୭୬ କୋଟି ଟଙ୍କାର ହ୍ରାସ ଘଟିଛି। ସେନ୍‌ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଥିବା ବେଳେ ଡଲାର ତୁଳନାରେ ଟଙ୍କା ମଧ୍ୟ ଖରାପ ପ୍ରଦର୍ଶନ କରିଛି। ଆଜି ଏକ ସମୟରେ ଏକ ଡଲାର ମୂଲ୍ୟ ୭୨ ଟଙ୍କା ୬୯ ପଇସା ହୋଇଯାଇଥିଲା। ତେବେ ମୁଦ୍ରା ବଜାରରେ କାରବାର ଶେଷ ବେଳକୁ ଡଲାର ସାମାନ୍ୟ ଦୁର୍ବଳ ହୋଇଥିଲା। ସେହି ସମୟରେ ଏକ ଡଲାର ମୂଲ୍ୟ ୭୧ ଟଙ୍କା ୮୬ ପଇସା ରହିଥିଲା। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଦେଖାଦେଇଥିବା କ୍ରମାଗତ ହ୍ରାସକୁ ନେଇ ସରକାର ଚିନ୍ତିତ ଅଛନ୍ତି।

By amfnews

Related Post