Sat. Apr 25th, 2026

ନାତିଙ୍କ ଖେଳରୁ ମହାଭାରତ, ଚାଲିଗଲା ବୃଦ୍ଧଙ୍କ ଜୀବନ

155 Views

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳର କବରଖାନା ସାହିରେ ସାମାନ୍ୟ ଝଗଡ଼ାରୁ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଲଡୁବାବା ମହାରଣା। ଅଭିଯୁକ୍ତଙ୍କ ନାଁ କାଳିଆ ସାହୁ।

ସୂଚନା ଅନୁଯାୟୀ, ଗତକାଲି କାଳିଆ ସାହୁଙ୍କ ନାତି ଓ ଲଡୁବାବାଙ୍କ ନାତି ଖେଳୁଥିଲେ। ଏହି ସମୟରେ କାଳିଆ ସାହୁଙ୍କ ନାତି ଲଡୁବାବାଙ୍କ ନାତିର ହାତକୁ କାମୁଡ଼ି ଦେଇଥିଲା। ଏନେଇ ଆହତ ଶିଶୁ ତାଙ୍କ ଘରେ କହିଥିଲେ। ତା’ପରେ ଶିଶୁଟିର ବାପା ଶିବରାମ ମହାରଣା ଏ ସଂପର୍କରେ କାଳିଆ ସାହୁଙ୍କୁ ପଚାରିଥିଲେ। ଫଳରେ ଉଭୟଙ୍କ ମଧ୍ୟ ଝଗଡ଼ା ଆରମ୍ଭ ହୋଇଥିଲା। ଏହି ସମୟରେ ଲଡୁବାବା ଘଟଣାସ୍ଥଳରେ ପହଞ୍ଚିବାରୁ କାଳିଆ ସାହୁ ତାଙ୍କୁ ଠେଲି ଦେଇଥିଲେ। ଫଳରେ ସେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପରେ ଲଡୁବାବାଙ୍କ ପରିବାର ଲୋକେ କାଳିଆ ସାହୁଙ୍କ ନାଁରେ ଫୁଲବାଣୀ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୁକ୍ତ କାଳିଆ ସାହୁଙ୍କୁ ଗିରଫ କରିଛି।

ଏନେଇ ମୃତକଙ୍କ ପୁଅ ଶିବରାମ ମହାରଣା କହିଛନ୍ତି, “କାଳିଆ ସାହୁଙ୍କ ନାତି ମୋ ପୁଅକୁ କାମୁଡ଼ି ଦେଇଥିଲା। ପୁଅ ମୋତେ ଘଟଣା ସମ୍ପର୍କରେ କହିବା ପରେ ଏନେଇ ମୁଁ କାଳିଆ ସାହୁଙ୍କୁ ପଚାରିଥିଲି। ହେଲେ ସେ ମୋତେ ଗାଳି କରିବା ସହିତ ମାରିଥିଲେ। ଏହା ଦେଖି ମୋ ବାପା ଆସି ସେଠାରେ ପହଞ୍ଚିଥିଲେ। ଏହାପରେ କାଳିଆ ସାହୁ ମୋ ବାପାଙ୍କ ତଣ୍ଟି ଚିପି ସିମେଣ୍ଟ ରାସ୍ତାରେ ମୁଣ୍ଡକୁ ଛେଚି ଦେଇଥିଲା। ଆମେ ସଙ୍ଗେ ସଙ୍ଗେ ବାପାଙ୍କୁ ଡାକ୍ତରଖାନା ନେଇଥିଲୁ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।”

By amfnews

Related Post