Sat. Jul 25th, 2026

ନର୍ସ ହତ୍ୟା ଘଟଣାରେ ନୂଆ ମୋଡ଼; ବୟଫ୍ରେଣ୍ଡ ସମେତ ୬ ଅଟକ

193 Views

ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ଗତକାଲି ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌କୁ ମିଳିଛି ନୂଆ ସୁରାକ। ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାର ହାତ ଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ବିରିଡ଼ି ଥାନା ପୁଲିସ୍‌ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ  କିଶୋର, ତା’ର ବାପା ଓ ୪ ଜଣ ସାଙ୍ଗ।

ଗତକାଲି ଅଖା ଭିତରୁ ନର୍ସଙ୍କ ମୃତଦେହ ମିଳିବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ହତ୍ୟା ପଛରେ ନର୍ସଙ୍କ ପୁରୁଷ ବନ୍ଧୁ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିଲା । ନର୍ସ ନିହାରିକାଙ୍କ ସିସିଟିଭି ଚିତ୍ର ହସ୍ତଗତ ହେବା ପରେ ପୁଲିସ୍‌ ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିଥିଲା।

ସିସିଟିଭି ଫୁଟେଜ୍‌ ଅନୁଯାୟୀ, ଗତ ୮ ତାରିଖ  ଅପରାହ୍ନ ୪ଟାରେ ସେ ହସ୍ପିଟାଲରୁ ବାହାରିଥିଲେ । ହସ୍ପିଟାଲ ସମ୍ମୁଖରେ କିଶୋର ଏକ ବାଇକ୍‌ରେ ତାଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ୍‌ କିଶୋରକୁ ଆଣି ଘଟଣା ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି।

ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର କଟକରେ ଏକ ନର୍ସିଂହୋମ୍‌ରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ସେ ଗତ କିଛି ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଉନଥିଲେ।

ସବୁଆଡ଼ୁ ନିରାଶ ହୋଇ ପରିବାର ଲୋକେ ଗତ ୯ ତାରିଖରେ ଝିଅ ନିଖୋଜ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅକୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ବିରିଡ଼ି ହାଜିପୁରର ଜଣେ ଯୁବକ ଝିଅକୁ ହତ୍ୟା କରିଥିବା ନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ୍‌ ହତ୍ୟା ମାମଲା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

By amfnews

Related Post