Fri. Jul 3rd, 2026

ନକଲି ପାଣି ବୋତଲ ବିକ୍ରି ଅଭିଯୋଗ, ୮୦୦ ଗିରଫ

162 Views

ନୂଆଦିଲ୍ଲୀ  : ଟ୍ରେନରେ ବିକ୍ରି ହେଉଥିବା ଅଧିକାଂଶ ପାଣି ବୋତଲରେ ବିଶୁଦ୍ଧ ପାନୀୟ ଜଳ ନୁହେଁ। କେବଳ ବିଭିନ୍ନ ବ୍ରାଣ୍ଡର ଅରିଜିନାଲ ଷ୍ଟିକର ଲଗାଇ ପାଣି ବୋତଲ ବିକ୍ରି ହେଉଥିବାର ଅଭିଯୋଗ ଆସିବା ପରେ ରେଳ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାଖାପାଖି ୩୦୦ଟି ସ୍ଥାନରେ ରେଡ୍ କରି ୮୦୦ ଲୋକଙ୍କୁ ରେଲଓ୍ୱେ ପୁଲିସ ଗିରଫ କରିଥିବା ସୂଚନା ରହିଛି।
ଟ୍ରେନରେ ଏହି ନକଲି ପାଣି ବୋତଲ ବିକ୍ରି ପଛରେ ୪ ପ୍ୟାଣ୍ଟ୍ରୀ କାରର ମ୍ୟାନେଜରଙ୍କ ହାତ ଥିଲା। ଚଢ଼ଉ ବେଳେ ୪୮, ୮୬୦ ବୋତଲ ଜବତ ହୋଇଛି। ଆଗକୁ ମଧ୍ୟ ରେଳ ବିଭାଗ ଟ୍ରେନରେ ନକଲି ଜିନିଷ ବିକ୍ରି ହେଉଥିଲେ ତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।
ଟ୍ରେନରେ ଯାତ୍ରା ବେଳେ ପାଣି ବୋତଲ ଯାତ୍ରୀଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ। ହେଲେ ଲୋକଙ୍କ ଦୁର୍ବଳତାର ଫାଇଦା ନେଇ ଗିରଫ ହୋଇଥିବା ବ୍ୟବସାୟୀ ନକଲି ପାଣି ବୋତଲ ବିକ୍ରି କରୁଥିଲେ। ରାଜଧାନୀ ଏବଂ ଦୂରନ୍ତ ଭଳି କିଛି ଟ୍ରେନରେ ‘ନୀର’ ନାମରେ ମାଗାଣାରେ ପାଣି ବୋତଲ ଦିଆଯାଇ ଥାଏ। କିନ୍ତୁ ଅନ୍ୟ ଟ୍ରେନରେ ଯାତ୍ରୀଙ୍କୁ ପାଣି ବୋତଲ କିଣିବାକୁ ପଡ଼ିଥାଏ।
ସୂଚନାଯୋଗ୍ୟ, ନିକଟରେ ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ ମଧ୍ୟରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଭାରତୀୟ ରେଳ ବିଭାଗ କି କି ପଦକ୍ଷେପ ଗ୍ରହଣ କରିଛି ଏବଂ ପଦକ୍ଷେପ ନେବାକୁ ଯୋଜନା ରଖିଛି ସେ ସଂପର୍କରେ ଏକ ସତ୍ୟପାଠ ଦାଖଲ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଭାରତୀୟ ରେଳ ବିଭାଗକୁ ନୋଟିସ୍‌ ଜାରି କରିଥିଲେ। ରେଳ ଷ୍ଟେସନ ଓ ଭାରତୀୟ ରେଳରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁ ନଥିବା ଅଭିଯୋଗ କରି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା (ପିଆଇଏଲ୍‌) ଆଗତ ହୋଇଥିଲା।

By amfnews

Related Post