Sat. Apr 25th, 2026

ନକଲି ତହସିଲଦାର ଗିରଫ

318 Views

ସମ୍ବଲପୁର: ବହୁ ଦିନ ଧରି ନିଜକୁ ତହସିଲଦାର କହି ବିଭିନ୍ନ ସ୍ଥାନରୁ ଲାଞ୍ଚ ମାଗୁଥିବା ଜଣେ ଛଦ୍ମବେଶୀକୁ ଆଜି ଧନୁପାଲି ପୁଲିସ୍‌ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତର ନାମ ସିକନ୍ଦର ମହନ୍ତ(୩୪)। ସେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁରର ସ୍ୱର୍ଗତ ବଳଭଦ୍ର ମହନ୍ତଙ୍କ ପୁଅ ବୋଲି ଜଣାପଡ଼ିଛି। ଏନେଇ ପୁଲିସ୍‌ ୩୨୬/୧୮ରେ ଆଇପିସି ଧାରା ୪୨୦ ଅନ୍ତର୍ଗତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ସିକନ୍ଦର ନିଜକୁ ସୋନପୁର ତହସିଲଦାର ମାନସିଂହ ମୁଣ୍ଡା ବୋଲି ପରିଚୟ ଦେବା ସହ ସେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ ବଦଳି ହୋଇ ଆସିଥିବା କହୁଥିଲା।

ଏହି ନକଲି ପରିଚୟ ଦେଇ ସେ ସନ୍ତୋଷ ନନ୍ଦଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ପରେ ସିକନ୍ଦର ପୁଲିସର ସ୍କାନରକୁ ଆସିଥିଲା। ମଙ୍ଗଳବାର ଧନୁପାଲି ପୁଲିସ ସିକନ୍ଦରକୁ ଗିରଫ କରି ଏନେଇ ସମସ୍ତ ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ସେ ନକଲି ତହସିଲଦାର ବୋଲି ଜଣାପଡ଼ିଥିଲା। ସିକନ୍ଦରର ପରିବାର ସ୍ଥାନୀୟ କୁଲୁଥକାନିରେ ରହୁଥିବା ଜଣାପଡ଼ିଥିବା ବେଳେ ସେ କେନ୍ଦୁଝରରେ ମଧ୍ୟ ନିଜକୁ ଉପ ଜିଲ୍ଲାପାଳର ପରିଚୟ ଦେଇ ଅନେକ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା କୁହାଯାଉଛି।

By amfnews

Related Post