Thu. May 14th, 2026

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ସ୍ନାନ ସଂପନ୍ନ

225 Views

ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କ ସ୍ନାନ ସଂପନ୍ନ ହୋଇଛି। ସେଠାକାର ପରମ୍ପରା ଅନୁଯାୟୀ, ୧୦୮ ଲେଖାଏଁ କୁମ୍ଭ ଜଳରେ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କର ଓ ସୁଦର୍ଶନଙ୍କର ସ୍ନାନ କରାଯାଇଛି।

ଏଥିଲାଗି ସକାଳ ୫ଟାରୁ ଜାରି ହୋଇଛି ୧୪୪ ଧାରା। ଏବେ ଠାକୁରଙ୍କର ଚନ୍ଦନ ବେଶ କରାଯାଇଛି। ସନ୍ଧ୍ୟା ୭ଟାରେ ଶ୍ରୀଜୀଉ ଗଜାନନ ବେଶରେ ଦର୍ଶନ ଦେବେ।

ସ୍ନାନମଣ୍ଡପରେ ମହାପ୍ରଭୂଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତମହଲରେ ଥିଲା ନାହିଁନଥିବା ଆବେଗ। ମାତ୍ର କରୋନା ଛଡ଼େଇନେଇଛି ଏହି କାମନା। ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଭକ୍ତ ଭଗବାନଙ୍କ ମଧ୍ୟରେ ବାଧକ ସୃଷ୍ଟି କରିଛି କରୋନା। ୧୪୪ ଧାରା ସୃଷ୍ଟି କରିଛି ଭକ୍ତ ଭଗବାନଙ୍କ ମଧ୍ୟରେ ପ୍ରତିବନ୍ଧକ। ଶୁକ୍ରବାର ସକାଳ ୫ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଶ୍ରୀଶ୍ରୀ ହରିବଳଦେବ ଜୀଉ ମନ୍ଦିର ସଂଲଗ୍ନ ବିଭିନ୍ନ ରାସ୍ତାରେ ଜାରି ହେବ ୧୪୪ ଧାରା। ଏନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି ଏଡିଏମ୍‌ ସ୍ବଧାଦେବ ସିଂ।

ଏହି ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ସକାଳ ୫ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବାଲେଶ୍ବର ଗୋଲେଇରୁ ସହର ଭିତରକୁ କୌଣସି ତିନିଚକିଆ କିମ୍ବା ଚାରିଚକିଆ ଯାନକୁ ଛଡ଼ାଯିବ ନାହିଁ। ଦୁଇ ଚକିଆ ଗାଡ଼ିଗୁଡ଼ିକ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଅମ୍ବିକା ମନ୍ଦିର ଦିଗରୁ ଆସୁଥିବା କୌଣସି ଗାଡ଼ି କିମ୍ବା ଲୋକଙ୍କୁ ଶୀତଳା ମନ୍ଦିର ଆଗକୁ ଆଉ ଛଡ଼ାଯିବ ନାହିଁ। ଦୁର୍ଗା ହୋଟେଲ୍‌ ଆଡ଼ୁ ଆସୁଥିବା କୌଣସି ଗାଡି କିମ୍ବା ଲୋକଙ୍କୁ ସେହି ନିକଟରେ ହିଁ ଅଟକାଯିବ। ବାଣ୍ଠିଆ ଜଗନ୍ନାଥ ମନ୍ଦିର ପାଇଁ ଏମ୍‌କେସି ହାଇସ୍କୁଲ୍‌/ପେଟ୍ରୋଲ୍‌ ପମ୍ପ୍‌ ପାଖରୁ ହିଁ ଗାଡ଼ି ଏବଂ ସାଧାରଣ ଲୋକଙ୍କୁ ଅଟକାଯିବ। କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତି ଏଥିରୁ ବାଦ୍‌ ପଡ଼ିବେ।

ସୁରକ୍ଷା ଦୃଷ୍ଟିରୁ ସହରରେ ୨ ପ୍ଲାଟୁନ୍‌ ଫୋର୍ସ, ୨୫ଜଣ ପୁଲିସ୍‌ ଅଧିକାରୀ ନିୟୋଜିତ ହେବା ନେଇ ବାରିପଦା ଟାଉନ୍‌ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ମନ୍ଦିର ଭିତରେ ହିଁ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। ସାମାଜିକ ଦୂରତା ରକ୍ଷା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିବାକୁ ପଣ୍ଡା ଓ ସେବାୟତଙ୍କୁ କୁହାଯାଇଥିବା ପ୍ରଶାସନ ପକ୍ଷରୁ ପ୍ରକାଶ। କୌଣସି ଭକ୍ତ ମନ୍ଦିର କିମ୍ବା ଏହାର ଆଖପାଖ ଅଞ୍ଚଳକୁ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ଏନେଇ ଭକ୍ତ ମହଲରେ ନିରାଶା ଦେଖାଦେଇଛି। ତିନି ଠାକୁରଙ୍କ ସ୍ନାନ ପର୍ବ ପରେ ତିନିଠାକୁରଙ୍କୁ ଅଣସର ଘରକୁ ନିଆଯିବ।

By amfnews

Related Post