Sat. Jun 13th, 2026

ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ଜଳିଲା ଘର, ୫ ଡମ୍ପର ସହ ଏକାଧିକ ଗାଡ଼ି

348 Views

ଜଳେଶ୍ୱର  : ଭୋଗରାଇ ବ୍ଲକ କମର୍ଦ୍ଦା ଦାହୁଣଦାରେ ଏକ ଡମ୍ପର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ କେନ୍ଦ୍ରକରି  ତୁମୁଳକାଣ୍ଡ ଘଟିଛି। ମୃତକ ଜଣକ ହେଲେ ଶଶିକାନ୍ତ ଦାଶ। ଉତ୍ତ୍ୟକ୍ତ ଲୋକେ ୫ଟି ଡମ୍ଫର, ୨ଟି ଜେସିବି, ଗୋଟିଏ ଟ୍ରାକ୍ଟର ଜାଳିଦେଇଛନ୍ତି। କେବଳ ସେତିକି ନୁହେଁ ଗୋଟିଏ କାର୍ ଓ ଜଣଙ୍କ ଘର ପୋଡ଼ି ଦେଇଥିବାର ଖବର ଆସିଛି। ନିଆଁଲିଭା କାର୍ଯ୍ୟରେ ଜଳେଶ୍ୱର ଓ ଭୋଗରାଇ ଦମକଳବାହିନୀ ମୁତୟନ ଅଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପୁଲିସ ଓ ପ୍ରଶାସନ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛି।

ସୂଚନା ଅନୁଯାୟୀ, ଶଶିକାନ୍ତ ଆଜି ସନ୍ଧ୍ୟାରେ ସାଇକେଲରେ ବଜାରରୁ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଏକ ଡମ୍ପର ମାଡ଼ିଯାଇ ଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।  ଘଟଣା ସ୍ଥଳରେ କମର୍ଦ୍ଦା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲା। ମାତ୍ର ଲୋକମାନେ ପୁଲିସର କଥା ଶୁଣି ନଥିଲେ। ପରେ ପୋଡ଼ାଜଳା କରିଥିଲେ। ଦୁର୍ଘଟଣା ଘଟାଇଥିବା ଡମ୍ପରର ମାଲିକଙ୍କ ଘରେ ମଧ୍ୟ ନିଆଁ ଲଗାଇଦେଇଥିଲେ।

ମୃତକ ଶଶିକାନ୍ତ ଦାଶ ଓ ଡମ୍ପର ମାଲିକ ଘନଶ୍ୟାମଙ୍କ ମଧ୍ୟରେ ଜମିଜମାକୁ ନେଇ ପୂର୍ବ ଶତ୍ରୁତା ଲାଗି ରହିଥିଲା। ତେବେ ଆଜିର ଘଟଣା ଦୁର୍ଘଟଣା ନୁହେଁ ବରଂ ତାଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସେହିପରି ଡମ୍ପର ମାଲିକ ଘନଶ୍ୟାମ ଦାଶଙ୍କୁ ଗିରଫ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଶଶିକାନ୍ତ ଓ ଘନଶ୍ୟାମ ସଂପର୍କରେ କକା ପୁତୁରା ହେବେ।

By amfnews

Related Post