Fri. Oct 2nd, 2026

ଦିଲ୍ଲୀ: ନିଆଁ ଲିଭାଇବା ବେଳେ କୋଠା ଭାଙ୍ଗିପଡ଼ିବାରୁ ୧୩ଜଣ ଅଗ୍ନିଶମ କର୍ମଚାରୀ ଆହତ

409 Views

ନୂଆଦିଲ୍ଲୀ: ଗୁରୁବାର ପାହାନ୍ତା ସମୟରେ ଦିଲ୍ଲୀର ପୀରଗଡ଼ି ଅଞ୍ଚଳରେ ନିଆଁ ଲାଗିଥିବା ଗୋଟାଏ କାରଖାନା ଘର ଭାଙ୍ଗିପଡ଼ିବାରୁ ୧୩ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ଅନ୍ୟୂନ ୧୪ ଜଣ ବ୍ୟକ୍ତି ଆହତ ହୋଇଥିବା କଥା ଅଗ୍ନିଶମ ବିଭାଗ କହିଛି। ଏବେ ମଧ୍ୟ ଜଣେ ଅଗ୍ନିଶମ କର୍ମଚାରୀ ଭଗ୍ନସ୍ତପ ମଧ୍ୟରେ ପୋତି ହୋଇ ପଡ଼ିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ି ଠାରେ ଥିବା ଗୋଟାଏ କାରଖାନାରେ ନିଆଁ ଲାଗିଥିବା ସମ୍ବନ୍ଧରେ ଭୋର୍‌ ପ୍ରାୟ ୪: ୨୮ ମିନିଟ୍‌ରେ ଫୋନ୍‌ ଆସିଥିଲା। ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟଲାଗି ସେଠାକୁ ୭ଟି ଦମକଳ ପଠାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦେଶକ ଅତୁଳ ଗର୍ଗ କହିଛନ୍ତି। କିନ୍ତୁ ପରେ ପରେ ଗୋଟାଏ ବିସ୍ଫୋରଣ ଘଟିବାରୁ ସେ କୋଠାଘରଟି ଭାଙ୍ଗି ପଡ଼ିଲା। ଫଳରେ ଅଗ୍ନିଶମ କର୍ମଚାରୀଙ୍କ ସମେତ କେତେକ ଲୋକ ସେଥିରେ ଅଟକି ରହିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ଚାରି ତାଲାବିଶିଷ୍ଟ ଏହି କୋଠାରେ ଲାଗିଥିବା ନିଆଁ ଲିଭାଇବାକୁ ଅନ୍ୟୂନ ୩୫ଟି ଦମକଳ ନିୟୋଜିତ ହୋଇଥିଲେ। ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା କଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି।

ସେ ଟୁଇଟ୍‌ କରିଛି: ଏ କଥା ଶୁଣି ଅନ୍ୟନ୍ତ ଦୁଃଖିତ। ପରିସ୍ଥିତି ଉପରେ ନଜର ରଖିଛି। ଅଗ୍ନିଶମ କର୍ମଚାରୀମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି। ଭଗ୍ନସ୍ତପ ମଧ୍ୟରେ ରହିଯାଇଥିବା ବ୍ୟକ୍ତିମାନଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରୁଛି।

By amfnews

Related Post