Sun. Apr 26th, 2026

ତେଲ ନଦୀରେ ବନ୍ୟା, କଳାହାଣ୍ଡିରେ ବନ୍ୟା ପରିସ୍ଥିତି

154 Views

ଭବାନୀପାଟଣା : ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ବର୍ଷା ପାଣି ରାସ୍ତା ଧୋଇ ନେବାରୁ ଜିଲ୍ଲାର ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହେବାରେ ଲାଗିଛି। ଲଗାଣ ବର୍ଷା ଫଳରେ ତେଲ ନଦୀରେ ବନ୍ୟା ସୃଷ୍ଟି ହୋଇଛି | ଲାଞ୍ଜିଗଡ ବ୍ଲକ ଦିଆଳବାହାଲି ନିକଟରେ ବନ୍ୟା ସୃଷ୍ଟି ହୋଇଛି | ଯାହାଫଳରେ ପାଣି ଘେରରେ କାନକୁଟ ପଂଚାୟତର ୬ଟି ଗାଁ ପ୍ରଭାବିତ ହୋଇଛି | ସେହିପରି କରାଳମୁଣ୍ଡ ନାଳରେ ଭାସିଯାଇ ଜିତୁ ରଣା ନାମକ ଯୁବକ ନିଖୋଜ ହୋଇଯାଇଛନ୍ତି |

ବର୍ଷାର ପ୍ରକୋପରେ ରାମପୁର ବ୍ଲକ ମୋହନଗିରି ପଂଚାୟତରେ ଅତଡ଼ା ଧସିଯାଇଛି | ଯାହାଫଳରେ ପାଣି ମାଡିଯାଇଥିବାରୁ ୪୦ଟି ପରିବାରକୁ ପଂଚାୟତ ଘରକୁ ସ୍ଥାନାନ୍ତର କରାଯାଇଛି | ଏଠାରେ ସୂଚନା ଥାଉ କି ଗତ ୧୦ ତାରିଖରେ କଳାହାଣ୍ଡିରେ ବନ୍ୟା ଯୋଗୁଁ ୨ ଜଣଙ୍କ ଜୀବନ ମୃତ୍ୟୁ ହୋଇଥିଲା | ବନ୍ୟା ଯୋଗୁ ମଦନପୁର ରାମପୁର ବ୍ଲକ ଦେଢ଼ଶୁଳି ପଂଚାୟତ ଟ୍ରାସୁପଡ଼ା ଗ୍ରାମ ନିବାସୀ ପୂର୍ବ ନାଏବ ସରପଂଚ ତଥା ସମିତି ସଭ୍ୟ ଉଛେନ୍ଦ୍ର ମାଝୀ (୬୦)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଉଛେନ୍ଦ୍ର ଅନ୍ୟ ଦୁଇଜଣଙ୍କ ସହିତ ବାଇକରେ ବାଲିଗୁଡ଼ା ଯାଇ ଫେରୁଥିବା ବେଳେ ତାଲିଫୁସିଂ ରପ୍‌ଟା (ନାଳା)ରେ ଭାସି ଯାଇଥିଲେ। ଅନ୍ୟ ଦୁଇଜଣ ପହଁରି ପହଁରି ନିଜ ଜୀବନ ରକ୍ଷା କରିଥିବା ବେଳେ ଉଛେନ୍ଦ୍ର ପାଣିରେ ବୁଡ଼ି ଯାଇଥିଲେ। ସେଠାରୁ ପ୍ରାୟ ଅଧ କିମି ଦୂର କନ୍ଧମାଳ ଜିଲ୍ଲା ଦଗାବାଜୁ ନିକଟରୁ ତାଙ୍କ ଶବ ଉଦ୍ଧାର କରାଯାଇଥିଲା । ସେହିପରି ଉର୍ଲଦାନୀ ପଂଚାୟତ କୁରୁପଦର ଗାଁର ଜୟ ପାତ୍ର(୩୩) ନିକଟସ୍ଥ ଜଙ୍ଗଲକୁ ବୁଧବାର ଗାଈ ଚରାଇବାକୁ ଯାଇଥିବାବେଳେ ଉତେଇ ନଦୀର ଜଳସ୍ରୋତରେ ଭାସି ଯାଇଥିଲେ।

By amfnews

Related Post