Sat. Apr 25th, 2026

ତର୍ଜମା ପରେ ରାଜ୍ୟ ସରକାର ଟ୍ରାଫିକ ନୂଆ ଆଇନରେ ଆଣିପାରନ୍ତି ପରିବର୍ତ୍ତନ, ହ୍ରାସ ପାଇପାରେ ଜରିମାନା ରାଶି

500 Views

ଭୁବନେଶ୍ୱର  : ନୂଆ ମୋଟର ଯାନ ଆଇନ  ଲାଗୁହେବା ପରେ ସାରା ଦେଶ ତଥା ଓଡ଼ିଶାରେ ପୁଲିସ ତନଖି କଡ଼ାକଡ଼ି ହୋଇଛି ଓ ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା ହେଉଛି । ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ପରିବହନ ବିଭାଗ କର୍ମଚାରୀ ଏବଂ ଟ୍ରାଫିକ୍‌ ପୁଲିସ ଆଦାୟ କରୁଛନ୍ତି। ରାଜ୍ୟ ସରକାର ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୁଣା ନିୟମକୁ ସଂଶୋଧନ କରି ନୂଆ ନିୟମ ଆଣିବାକୁ ଯାଉଛନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଙ୍କେତ ଦେଇଛନ୍ତି ।

ନୂଆ ମୋଟର ଯାନ ସଂଶୋଧନ ଆଇନରେ ଆଦାୟ ହେଉଥିବା ଜରିମାନା ଅଧିକ ବୋଲି ସରକାର ବି ଅନୁଭବ କରୁଛନ୍ତି। ମାତ୍ର ୮ ଦିନର କାର୍ଯ୍ୟାନୁଷ୍ଠନରେ ଅଥୟ ହୋଇପଡ଼ିଲେଣି ଜନତା । ନୂଆ ଆଇନ ଅନୁସାରେ ଲୋକଙ୍କୁ ହଜାର ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ପଡ଼ୁଛି । ଅଧିକ ଫାଇନରୁ ଲୋକଙ୍କୁ କୋହଳ ଦେବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

କେନ୍ଦ୍ର ସରକାରଙ୍କ ଆଇନ ହୋଇଥିବାରୁ ଏଥିରେ କୌଣସି ପରିବର୍ତ୍ତନ କରିହେବ ନାହିଁ । ହେଲେ ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର  କିଛି ପରିବର୍ତ୍ତନ କରିବା ପାଇଁ ଯୋଜନା କରୁଛନ୍ତି । ପୁରୁଣା ଓ ନୂଆ ନିୟମକୁ ତୁଳନା କରିବା ସହ ତର୍ଜମା କରିବା ପରେ ରାଜ୍ୟ ସରକାର ରାଜ୍ୟରେ ନୂଆ ନିୟମ ଆଣିପାରନ୍ତି । ଅଧିକ ନ ହେଲେ ମଧ୍ୟ କିଛି ପରିମାଣରେ ଲୋକେ ଜରିମାନାରୁ ଆଶ୍ୱସ୍ତି ପାଇବେ ବୋଲି ପଦ୍ମନାଭ ବେହେରା କହିଛନ୍ତି ।

By amfnews

Related Post