Sat. Apr 25th, 2026

ଡାକ୍ତରଖାନାରେ ପଡ଼ିଛି ତାଲା, ବାହାରେ ଚାଲିଛି ଚିକିତ୍ସା

341 Views

ବାଲେଶ୍ୱର : ଡାକ୍ତର ରହୁ ନଥିବା ଯୋଗୁ ଲୋକେ ଉତ୍ତ୍ୟକ୍ତ ହୋଇ ବାଲେଶ୍ୱର ଜିଲ୍ଲା ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ଫଳରେ ମେଡିକାଲ୍‌ ବାହାରେ ରୋଗୀ ସେବା ଚାଲିଛି।

ଗତକାଲି ରାତିରୁ ମେଡିକାଲ୍‌ର ୪ଟି ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ଥାନୀୟ ଲୋକେ ତାଲା ପକାଇ ଦେଇଛନ୍ତି। ଫଳରେ ଉଭୟ ରୋଗୀ ଓ ଡାକ୍ତର ଡାକ୍ତରଖାନା ଭିତରକୁ ପ୍ରବେଶ କରି ପାରୁନାହାନ୍ତି। ଫଳରେ ଡାକ୍ତରଖାନା ବାହାରେ ଥିବା ଟୀକା କରଣ ରୁମରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ ବି ଲିଖିତ ଅଭିଯୋଗ ହୋଇ ନଥିବାରୁ ତାଲା ଖୋଲିବାରେ ସକ୍ଷମ ହୋଇନି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସ୍ଥାନୀୟ ଗାଁର ଜଣେ ଶ୍ୱାସ ରୋଗୀ କଷ୍ଟ ପାଇବାରୁ ପରିବାର ଲୋକ ତାଙ୍କୁ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପାଇଁ କୌଣସି ଡାକ୍ତର ଡାକ୍ତରଖାନାରେ ଉପସ୍ଥିତ ନ ଥିଲେ। ଏନେଇ ରୋଗୀ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଫଳରେ ଲୋକେମାନେ ସିସି ଟିଭି କ୍ୟାମେରା, ବିଦ୍ୟୁତ୍‌ ଉପକରଣ, ଝରକା ଗ୍ଲାସକୁ ଢେଲା ପଥର ମାରି ଭାଙ୍ଗି ଦେବାସହ ଆଉଟ୍‌ଡୋରର ଚାରି ପାର୍ଶ୍ୱରେ ତାଲା ପକାଇ ଦେଇଥିଲେ। ତା’ପରେ ରୋଗୀଙ୍କୁ ନେଇ ପରିବାର ଲୋକେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେହିପରି ୱାର୍ଡରେ ଥିବା କିଛି ରୋଗୀ ମଧ୍ୟ ଅନ୍ୟତ୍ର ପଳାଇ ଯାଇଥିଲେ। ଗତକାଲି ଦିନ ତମାମ ୱାର୍ଡକୁ ରୋଗୀ ଦେଖିବା ପାଇଁ କେହିବି ଡାକ୍ତର ଆସି ନ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

By amfnews

Related Post