Fri. May 15th, 2026

ଡକାୟତମାନେ ନେଇଗଲେ ୨୫ ତୋଳା ସୁନା

223 Views

ହାଇଦ୍ରାବାଦ: ବେଙ୍ଗାଲୁରୁ ସହର ଅଭିମୁଖେ ଯାଉଥିବା ଯେଶ୍‌ବନ୍ତପୁର ଏକ୍ସପ୍ରେସ୍‌କୁ ହାଇଦ୍ରାବାଦ ଠାରୁ ୧୦୦ କିଲୋମିଟର ଦୂର ଦିବିତିପଲ୍ଲୀ ଠାରେ ଅଟକାଇ ଦଳେ ଡକାୟତ ଖୋଲା ଝରକା ପାଖରେ ଶୋଇଥିବା ଯାତ୍ରୀମାନଙ୍କ ଠାରୁ ବହୁ ମୂଲ୍ୟବାନ୍‌ ଜିନିଷ ଝାମ୍ପି ନେଇଛନ୍ତି।

ଶନିବାର ପାହାନ୍ତା ପ୍ରାୟ ୩ଟା ୫୫ ମିନିଟ୍‌ରେ ଘଟନାଟି ଘଟିଛି। ଡକାୟତମାନେ ଟ୍ରେନ୍‌ ଭିତରକୁ ନ ପଶି ବଗି ନମ୍ବର ଏସ୍‌-ଟୁ, ଏସ୍‌-ଥ୍ରି ଏବଂ ଏସ୍‌-ଏଇଟ୍‌ ବଗି ଉପରକୁ ଡେଣୁଆ ଫିଙ୍ଗି ଯାତ୍ରୀମାନଙ୍କ ପାଖରେ ଥିବା ମୂଲ୍ୟବାନ ଜିନିଷ ନେଇ ପଳାଇଥିଲେ।

ମଝି ବର୍ଥରେ ଶୋଇଥିବା ଜଣେ ମହିଳା ଯାତ୍ରୀ କହନ୍ତି: ଘନ ଜଙ୍ଗଲ ମଧ୍ୟରେ ଟ୍ରେନ୍‌ ଅଟକିଲା। ମୁହୂର୍ତ୍ତକ ମଧ୍ୟରେ, ମତେ ଲାଗିଲା କେହି ଜଣେ ମୋ ଚେନ୍‌ ଟାଣି ନେଉଛି। ପାଟି କରୁ କରୁ ଦେଖିଲି ହଳଦିଆ ଟି-ସାର୍ଟ ପିନ୍ଧା ଜଣେ ଲୋକ ମୋ ଚେନ୍‌ ନେଇ ପଳାଉଛି।

ଡକାୟତ ଦଳ ଯାତ୍ରୀମାନଙ୍କ ଠାରୁ ସମୁଦାୟ ୨୫ ତୋଳା ସୁନା, ୧୦ ହଜାର ଟଙ୍କା ଏବଂ ୪ଟି ମୋବାଇଲ୍‌ ଫୋନ୍‌ ନେଇ ପଳାଇଛନ୍ତି। ଡକାୟତ ଦଳରେ ପ୍ରାୟ ୧୦ ଜଣ ଡକାୟତ ଥିବା କଥା ପୁଲିସ କହିଛି। ଏହା ମହାରାଷ୍ଟ୍ର ଅନ୍ତର୍ଗତ ସୋଲାପୁର ପାର୍ଥି ଗ୍ୟାଙ୍ଗ୍‌ର କାମ ବୋଲି ପୁଲିସ ସନ୍ଦେହ କରୁଛି।

ଶନିବାର ସକାଳ ୬ଟା ବେଳେ ଟ୍ରେନ୍‌ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ କାଚେଗୁଡ଼ା ରେଳବାଇ ଥାନାରେ ଅଭିଯୋଗ ଦାଏର କରାଯାଇଥିଲା।

ସିଗ୍‌ନାଲ୍‌ ଟାମ୍ପରିଙ୍ଗ୍‌ କରି ଡକାୟତମାନେ ପ୍ରାୟ ୨୦ ମିନିଟ୍‌ ଟ୍ରେନ୍‌ ଅଟକାଇ ଥିଲେ ବୋଲି ସିକନ୍ଦରାବାଦ ରେଳବାଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛି।

By amfnews

Related Post