Fri. May 22nd, 2026

ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ପଶିଲେ ଶିକ୍ଷକ

172 Views

ଫୁଲବାଣୀ  : ନଦୀରେ ବନ୍ୟା ପାଣିର ସୁଅ। ଉଛୁଳା ନଦୀରେ ପ୍ରଖର ବେଗରେ ଚାଲୁଛି ପାଣି। ଏପରି ସ୍ଥିତିରେ ଉଛୁଳା ନଦୀକୁ ଦେଖିଲେ  ଯେକୌଣସି ଲୋକ ମନରେ ଛନକା ପଶିଯିବା ସ୍ୱାଭାବିକ କଥା। ବର୍ଷା ଦିନେ  ନଦୀରେ ପ୍ରାୟ ୫ ଫୁଟ ଉପରେ ପାଣି ଚାଲୁଥିବା ବେଳେ ପାଦ ଦେବାକୁ  ବି ଡର ଲାଗିବ।

ହେଲେ ଏପରି ପ୍ରତିକୂଳ ପରିସ୍ଥିତିରେ ବି  ଜଣେ ବ୍ୟକ୍ତି ନିଜ କର୍ତ୍ତବ୍ୟ, ଦାୟିତ୍ୱକୁ ଗୁରୁତ୍ୱ ଦେଇଛନ୍ତି।  ନିଜ ଜୀବନକୁ ବାଜି ଲଗାଇ ନଦୀରେ ପଶି ଯାଉଛନ୍ତି। ଆଉ କିଛି ସମୟରେ ନଦୀର ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ୱକୁ ବନ୍ଧା ଯାଇଥିବା ଏକ ରଶି ସାହାଯ୍ୟରେ ନଦୀ ପାର ହେଉଛନ୍ତି। ଏହା ଦିନିକିଆ ନୁହେଁ, ନିତି ଦିନିଆ ଘଟଣା।  ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡ଼ି ପଞ୍ଚାୟତର ବଗାଡ଼ି ଗ୍ରାମରେ । ବଗାଡ଼ି ପ୍ରାଥମିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ପାଇଁ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଲେ ଶିକ୍ଷକ ।

ଗୁଞ୍ଜିବାଡ଼ିରୁ ବଗାଡ଼ିକୁ ଯିବାବେଳେ ବଗାଡ଼ି ନଦୀ ପଡିଥାଏ ।  ବର୍ଷର ଅନ୍ୟ ଦିନମାନଙ୍କରେ ନଦୀରେ ପାଣି କମ୍‌ ରହୁଥିବାରୁ ଲୋକେ ତାହା ମଧ୍ୟରେ ପଶି ଲୋକେ ଯାତାୟତ କରିଥାନ୍ତି। ହେଲେ ବର୍ଷା ଦିନେ ନଦୀରେ ପାଣିର ସୁଅ ଚାଲୁଥିବାରୁ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇ ପଡ଼ୁଛି। ପ୍ରାୟ ୧୦ କି.ମି ବୁଲିକି ଗଲେ ପୋଲ ପଡ଼ିଥାଏ।  ହେଲେ ସ୍ଥାନୀୟ ଅଞ୍ଚଳବାସୀ ଦୈନଦିନ କାମ ନିମନ୍ତେ ନଦୀ ମଧ୍ୟରେ ପଶି ଅପର ପାର୍ଶ୍ୱକୁ ଯାଇଥାନ୍ତି। ନଦୀର ଦୁଇ ପାର୍ଶ୍ୱରେ ଥିବା ଦୁଇଟି ଗଛରେ ଏକ ଲମ୍ବା ଲୁହା ତାର ବନ୍ଧା ଯାଇଛି। ଏହାକୁ ଧରି ହିଁ ସେମାନେ ନିତି ଦିନ ନଦୀ ପାର ହୋଇଥାନ୍ତି।   ହେଲେ ଏପରି ବିପଦସଙ୍କୁଳ ଯାତ୍ରା ସମୟରେ ଏକ ବଡ଼ ଅଘଟଣ ଆଶଙ୍କାକୁ ଏଡ଼ାଇ ହେବନି। ସ୍ଥାନୀୟ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଏହି ନଦୀ ଉପରେ ଏକ ପୋଲ ନିର୍ମାଣ ହେଉ ନ ଥିବାରୁ ଅଞ୍ଚଳବାସୀ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି।

By amfnews

Related Post