Sun. Apr 26th, 2026

ଜିଲା ସ୍ତରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ ଅନୁଷ୍ଠିତ

265 Views

ରାଉରକେଲା, ୨୧ା୧୨  : ଜିଲା ଶିଶୁ ସୁରକ୍ଷା ବିଭାଗ ଓ ଭୁବନେଶ୍ୱର ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନାର ମିଳିତ ଆନୁକୂଲ୍ୟରେ ଜିଲା ସ୍ତରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ ଉଦିତନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ ଜିଲାପାଳ ସୁରେନ୍ଦ୍ର କୁମାର ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଅଧିକାର, ସ୍ୱାସ୍ଥ୍ୟ, ଖାଦ୍ୟ, ସୁରକ୍ଷା ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବା ସହ ସଠିକ୍ ଉତ୍ତର ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଆୟୋଜିତ ଉତ୍ସବରେ ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର, ରାଉରକେଲା ଡିଏସ୍ପି ମୋହନ ପାଣି କରୁଆ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବସନ୍ତ କୁମାର ମଲ୍ଲିକ, ସଦସ୍ୟ ରାମ ଚନ୍ଦ୍ର ବେହେରା, ଶିଶୁ ନ୍ୟାୟ ବୋର୍ଡ ସଦସ୍ୟା ଶୁଭଶ୍ରୀ ରାୟ, ଦୀକ୍ଷାଦୀପନର ଚିତ୍ତରଞ୍ଜନ ବ୍ରହ୍ମା, ଲାୟନ ସରୋଜ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଆଇନାର କାର୍ଯ୍ୟକ୍ରମ ପରିଚାଳିକା ସ୍ମୃତି ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଇଣ୍ଡୋ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସରସ୍ୱତୀ ବିଦ୍ୟାମନ୍ଦିର, ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟ, ଏସ୍ଓଏସ୍ ଭିଲେଜ୍, ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମର ୨୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଆଇନାର ଶୁଭସ୍ମିତା ଜେନା, ଶିଶୁ ଅନୁଷ୍ଠାନ ସୁରକ୍ଷା ଅଧିକାରୀ ଅନନ୍ତ ପରୁଆ, କାଉନସିଲର ମଞ୍ଜୁ ଏକ୍କା ପ୍ରମୁଖ ପରିଚାଳନା କରିଥିବା ବେଳେ ଆଶାଦୀପ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ ।

By amfnews

Related Post