Sat. May 23rd, 2026

ଜାମିଆ ୟୁନିଭର୍ସିଟି ଆଗରେ ପୁଣି ଫୁଟିଲା ଗୁଳି, ହଟିଲେ ଡିସିପି

185 Views

ନୂଆଦିଲ୍ଲୀ  : ପୁଣି ଥରେ ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟର ୫ ନମ୍ୱର ଫାଟକ ଆଗରେ ଗତକାଲି ରାତିରେ ଗୁଳି ଫୁଟିଛି। ଏହି ଗୁଳି ମାଡ଼ରେ କେହି ଆହତ ହୋଇନାହାନ୍ତି ବୋଲି ବିଶ୍ୱବିଦ୍ୟାଳୟର କୋର୍ଡ଼ିନେଶନ କମିଟି କହିଛନ୍ତି। ଘଟଣାସ୍ଥଳରେ ପୁଲିସ ସଙ୍ଗେସଙ୍ଗେ ପହଞ୍ଚି ତଦନ୍ତ ଜାରି ରଖିଥିବା ଡିସିପି କହିଛନ୍ତି। ଗତକାଲି ରାତିରେ ଘଟିଥିବା ଏହି ଗୁଳିକାଣ୍ଡକୁ ମିଶାଇଲେ ୪ଦିନରେ ତୃତୀୟ ଥର ପାଇଁ ସମାନ ଘଟଣା ସାମ୍ନାକୁ ଆସିଛି। ସିଏଏ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ଏହି ଘଟଣା ଘଟିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଜାମିଆ ଓ ଜାମିଆ ମିଲିଆ ଇସଲାମିକ୍‌ ଅଞ୍ଚଳକୁ ଆସିଥିଲେ। ସେମାନେ ଜାମିଆ ୟୁନିଭର୍ସିଟିର ୫ ନମ୍ବର ଗେଟ୍‌ରେ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲେ । ହେଲେ ଗୁଳି କାହା ଦେହରେ ବାଜି ନ ଥିବା ଜଣାପଡ଼ିଛି। ଗୁଳିକାଣ୍ଡ ପରେ ସେଠାରେ ଲୋକଙ୍କ ଭିଡ଼ ବଢ଼ିଥିଲା।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଏଭଳି ଗୁଳିକାଣ୍ଡ ଘଟଣା ଲଗାତର ସାମ୍ନାକୁ ଆସିବା ପରେ ସଂପୃକ୍ତ ଅଞ୍ଚଳର ଡିସିପିଙ୍କୁ ହଟାଇ ଦେଇଛନ୍ତି ନିର୍ବାଚନ କମିଶନ ।
ସାଉଥ୍-ଇଷ୍ଟ ଦିଲ୍ଲୀର ଡିସିପି ଚିନ୍ମୟ ବିଶ୍ୱାଳକୁ ହଟାଇ ଅସ୍ଥାୟୀ ଭାବେ ତୁରନ୍ତ ଦାୟିତ୍ୱ ନେବାକୁ କୁମାର ଜ୍ଞାନେଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାୟୀ ଡିସିପି ନିଯୁକ୍ତି ପାଇଁ ୩ ଜଣ ଅଧିକାରୀଙ୍କ ନାଁ ସୁପାରିଶ କରିବାକୁ ଗୃହ ମନ୍ତ୍ରାଳୟକୁ କୁହାଯାଇଛି ।

By amfnews

Related Post