Sat. Jul 4th, 2026

ଜଳେଶ୍ବରରୁ ପୁଣି ୨୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ, ୩ ଗିରଫ

235 Views

ଜଳେଶ୍ବର : ବାରମ୍ବାର ଚଢ଼ଉ ଓ ଗିରଫଦାରୀ ପରେ ବି ବ୍ରାଉନ୍‌ସୁଗର କାରବାର ଥମିବାର ନାମ ନେଉନି। ପୁଣିଥରେ ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ବ୍ରାଉନ୍‌ସୁଗର ଜବତ ହେବା ସହ ୩ ଜଣ ଗିରଫ ହୋଇଛନ୍ତି। ତେବେ ଜଣେ ଅଭିଯୁକ୍ତ ଖସି ପଳାଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ଜଳେଶ୍ବର ଥାନା ଅନ୍ତର୍ଗତ ଶେଖସରାଇରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୩ଜଣଙ୍କୁ ଜଳେଶ୍ବର ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଖାଲି ସେତିକି ନୁହେଁ, ସେମାନଙ୍କ ପାଖରୁ ୩ ଲକ୍ଷ ୧୪ ହଜାର ଟଙ୍କା ଓ ଏକ କାର୍ (ଓଆର ୦୧୦୨-ବିଟି ୯୧୬୧) ମଧ୍ୟ ଜବତ କରିଛି ଜଳେଶ୍ବର ଥାନା ପୁଲିସ୍‌।

ପୂର୍ବରୁ ପୁଲିସ ଏସଂପର୍କରେ ସୂଚନା ପାଇ ଶେଖସରାଇରେ ଏକ ଇଣ୍ଡିଗୋ କାର୍ (ଓଆର ୦୧୦୨-ବିଟି ୯୧୬୧) ଉପରେ ଚଢ଼ଉ କରିଥିଲା। ଏହି କାର୍ ଭିତରୁ ଯେଉଁ ୧୦୦ ଗ୍ରାମ୍ ଓଜନର ବ୍ରାଉନ୍‌ସୁଗର ଜବତ କରାଯାଇଛି । ତାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

ଏହି ଘଟଣାରେ ଗିରଫ ହୋଇଥିବା ତିନିଜଣ ହେଲେ ପୁରୀ ଜିଲ୍ଲାର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନରେନ୍ଦ୍ରକଣା ଗ୍ରାମର ଶ୍ରୀଧର ନାୟକ (୩୦), ଦେବାଶିଷ ମହାନ୍ତି (୩୦) ଓ ଲିଟୁ ଦୋରା (୨୯)। ଖସି ଯାଇଥିବା ଅନ୍ୟତମ ଅଭିଯୁକ୍ତ ହେଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଶେଖ୍ ହେମରୁଦ୍ଦିନଙ୍କ ପୁଅ ଶେଖ ସଫିରୁଦ୍ଦିନ (୩୬)।

ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ବର ସାହୁ, ଏସ୍ ଆଇ ଦିଲୀପ ସାମଲ, ନବଦୀପ ସେଠୀ ଏବଂ ସତ୍ୟନାରାୟଣ ବଳ ପ୍ରମୁଖ ଏହି ଚଢ଼ଉ କରିଥିଲେ।

By amfnews

Related Post