Tue. Oct 13th, 2026

ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ରେ ଦୁଇ ଆତଙ୍କବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର

301 Views

ଶ୍ରୀନଗର: ଶନିବାର ଦିନ ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍ ଜିଲ୍ଲାର ୱାନପୋରା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଭୀଷଣ ବନ୍ଧୁକ ଲଢ଼େଇ କରି ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଘଟଣା ସଂକ୍ରାନ୍ତରେ ନିଶ୍ଚିତ କରି ଜମ୍ମୁ ଓ କଶ୍ମୀର ପୁଲିସ ମହାନିର୍ଦେଶକ ବିଜୟ କୁମାର କହିଛନ୍ତି ଯେ, ଏହି ଅଭିଯାନରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। କିନ୍ତୁ, ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳିନାହିଁ ବୋଲି ସେ କହିଛନ୍ତି। ନିହତ ଦୁଇ ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ଏବେ ମଧ୍ୟ ସେ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଥିବା କଥା ପୁଲିସ କହିଛି। ୱାନପୋରାରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନା ଏବଂ ସିଆର୍‌ପିଏଫ୍ ମିଳିତ ଦଳ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଆରମ୍ଭ କରିଥିଲେ।

ତଲାସକାରୀ ଦଳ ସନ୍ଦିଗ୍ଧ ସ୍ଥାନ ଆଡ଼କୁ ଅଗ୍ରସର ହେବା ମାତେ ଆ‌ତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ସୁରକ୍ଷାବଳ ବେଢ଼ି ରହିଛନ୍ତି। କେତେଜଣ ଆତଙ୍କବାଦୀ ସେଠାରେ ଅଛନ୍ତି, ତାହା ଅଭିଯାନ ଶେଷ ହେଲେ ଜଣାପଡ଼ିବ।

ସେ ଅଞ୍ଚଳରେ ମୋବାଇଲ୍ ଓ ଇଣ୍ଟର୍‌ନେଟ୍ ସେବା ବିଚ୍ଛିନ୍ନ କରାଯାଇଛି।

By amfnews

Related Post