Sat. Sep 26th, 2026

ଚାଲି ଚାଲି ଅଫିସ ଗଲେ ମାଲକାନଗିରି ଏଡିଏମ୍,ସରକାର ବାହାନ ନାହିଁ।

255 Views

ମାଲକାନଗିରି ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀଙ୍କୁ ଅଣଦେଖା। ଅତିରିକ୍ତ ଜିଲ୍ଲାପାଳ ଚାଲି ଚାଲି ନିଜ କାର୍ଯ୍ୟାଳୟକୁ ଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରୁ ଯାହା ଅନୁମେୟ ହେଉଛି ଜିଲ୍ଲା ପ୍ରଶାସନ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ କୌଣସି ପ୍ରକାର ସାମଞ୍ଜସ୍ୟ ନଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ସତ ଲୁଚାଇବାକୁ ଯାଇ ସରକାରୀ ଗାଡ଼ି ଖରାପ ଥିବା କହିଛନ୍ତି।
ଗତ କିଛିଦିନ ତଳେ ମାଲକାନଗିରି ଏଡିଏମ୍ ଭାବେ ଯୋଗଦେଇଥିଲେ ଆଯୋଧ୍ୟାନାଥ ଶତପଥୀ। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଥିବାରୁ ତାଙ୍କୁ ଗାଡ଼ି ଯୋଗାଇ ଦିଆଯାଇଥିଲା। ଆଜି ଅନ୍ୟ ଜଣେ ଅଧିକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଯୋଗ ଦେଉଥିବାରୁ ଉକ୍ତ ଗାଡ଼ି ତାଙ୍କଠାରୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି।
ପ୍ରବଳ ବର୍ଷା ହେଉଥିବା ସତ୍ତ୍ୱେ ଏଡିଏମ୍‌ ଛତା ଧରି ଚାଲି ଚାଲି ନିଜ କାର୍ୟ୍ୟାଳୟକୁ ଯାଇଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କୁ ଏଭଳି ଅଣଦେଖା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରିଛନ୍ତି। ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତାଳମେଳ ନରହିବା ଜିଲ୍ଲା ପ୍ରତି ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ଏ ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି।

By amfnews

Related Post