Sun. Jun 14th, 2026

ଘରୋଇ ଡାକ୍ତରଖାନାରେ ଦେୟ ପୈଠ ଆଳରେ ରୋଗୀଙ୍କ ଶବ ଅଟକ ରଖାଯିବା ନେଇ ବିଧାନସଭାରେ ଉଦବେଗ, ସରକାରଙ୍କ ହସ୍ତକ୍ଷେପ ଦାବି

287 Views

ଭୁବନେଶ୍ୱର  : ରାଜଧାନୀ ଉପକଣ୍ଠରେ  ଥିବା  ଏକ  ଘରୋଇ ଡାକ୍ତରଖାନାରେ ବକେୟା ଅର୍ଥ ପୈଠ ନ କରିବା ଯୋଗୁଁ ଜଣେ ରୋଗୀଙ୍କର ଶବ ଅଟକ ରଖାଯିବା ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଏ ଘଟଣା ପ୍ରତି ସରକାର ଦୃଷ୍ଟି ଦେବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେବା ସଂଗେ ସଂଗେ ଏହି ସଂପର୍କରେ ଆଲୋଚନା ପାଇଁ ତାଙ୍କର ପ୍ରକୋଷ୍ଠରେ ଏକ ବୈଠକ ଡକାଇଛନ୍ତି।

ଆଜି ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଏହି ପ୍ରସଙ୍ଗ ଉତ୍‌ଥାପନ କରି କହିଥିଲେ ଯେ, କୌଣସି ଡାକ୍ତରଖାନାରେ କୌଣସି ରୋଗୀଙ୍କର ମୃତ୍ୟୁ ହେଲେ ବକେୟା ଅର୍ଥ ପଇଠ ହୋଇନାହିଁ କହି ଶବ ଅଟକ ଯାଇପାରିବ ନାହିଁ ବୋଲି ମାନ୍ୟବର ଦିଲ୍ଲୀ ହାଇକୋର୍ଟ ଓ ଅନ୍ୟାନ୍ୟ କୋର୍ଟଙ୍କ ରାୟ,ବାଚସ୍ପତିଙ୍କ ରୁଲିଂ ଏବଂ ସରକାରଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ। ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ହାସପାତାଳରେ ଚିକିତ୍ସିତ ହେଉଥିବା ଗଂଜାମ ଜିଲ୍ଲାର ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ଆତ୍ମୀୟମାନେ ୧ଲକ୍ଷ ଟଙ୍କାର ଦେୟ ପଇଠ କରିଛନ୍ତି। ତେବେ ଆହୁରି ୯୯ ହଜାର ଟଙ୍କାର ଦେୟ ବକେୟା ରହିଚି ବୋଲି କହି ଉକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତ ରୋଗୀଙ୍କ ଶବ ଛାଡୁନାହାନ୍ତି। ରାଜଧାନୀରେ ପ୍ରାୟ ୨୧୧ଟି ଛୋଟବଡ଼ ଘରୋଇ ହାସପାତାଳ ରହିଚି ଏବଂ ସେମାନେ ଦାଦାଗିରି କରୁଛନ୍ତି ବୋଲି ଶ୍ରୀ ସେଠୀ କହିଥିଲେ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ମୃତବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କର ଶବ ବନ୍ଧକ ରଖିଛନ୍ତି। ତେଣେ ମୃତ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଦିଆଯିବା ଉଚିତ ଏବଂ ସତ୍କାର ପାଇଁ ତାଙ୍କ ଶବ ତୁରନ୍ତ ଛାଡ଼ିବା ନିମନ୍ତେ ରାଜ୍ୟ ସରକାର ଓ ବାଚସ୍ପତି ତୁରନ୍ତ ହସ୍ତକ୍ଷେପ କରିବାକୁ ବିରୋଧୀ ଦଳ ନେତା ଦାବି କରଥିିଲେ। ରାଜ୍ୟ ସରକାର ଘରୋଇ ହାସପାତାଳଗୁଡିକୁ ମାଗଣା ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇଛନ୍ତି। ଘରୋଇ ଡାକ୍ତରଖାନାରେ ୨୫ ପ୍ରତିଶତ ରୋଗୀଙ୍କର ମାଗଣା ଚିକିତ୍ସା କରିବା ପାଇଁ ରାଜିନାମାରେ ସର୍ତ୍ତ ରହିଛି ବୋଲି ସେ କହିଥିଲେ।

By amfnews

Related Post