Wed. Jun 10th, 2026

‘ଗୁପ୍ତଚର’ ବୃତ୍ତିର ମିଥ୍ୟା ଆରୋପରେ ଗିରଫ ହୋଇଥିବା ବୈଜ୍ଞାନିକ ନାମ୍ବି ନାରାୟଣ ପଦ୍ମଭୂଷଣ ପାଇବା ପରେ କହିଲେ, ‘ପରିଶ୍ରମକୁ ସ୍ୱୀକୃତି ମିଳିଥିବାରୁ ଖୁସି’

305 Views

ନୂଆଦିଲ୍ଲୀ, 26,Jan. 2019: ଶେଷରେ ନାମ୍ବି ନାରାୟଣଙ୍କୁ ମିଳିଛି ସ୍ୱୀକୃତି। ବୈଜ୍ଞାନିକ ନାମ୍ବି ନାରାୟଶଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ଘୋଷଣା କରାଯାଇଛି ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ।

ଉଲ୍ଲେଖଯୋଗ୍ୟ, ଇସ୍ରୋରେ ବୈଜ୍ଞାନିକ ଥିବା ଓ ପିଏସ୍‌ଏଲ୍‌ଭି ଉପଗ୍ରହ ଉତ୍‌କ୍ଷେପଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ନାମ୍ବି ନାରାୟଣଙ୍କୁ ଗୁପ୍ତଚର ବୃତ୍ତି କରୁଥିବାର ମିଥ୍ୟା ଅଭିଯୋଗରେ ବିଗତ ଡିସେମ୍ବର ୧୯୯୪ରେ ଗିରଫ ହୋଇଥିଲେ। ପରେ ଦୀର୍ଘ ୫୦ ଦିନ କାଳ ତାଙ୍କୁ ହାଜତ ଭିତରେ ଅକଥନୀୟ ନିର୍ଯାତନା ଦିଅଯିବା ପରେ ତାଙ୍କ ବିରୋଧରେ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ସଙ୍ଗୀନ୍‌ ଦେଶଦ୍ରୋହ ମାମଲା ଆଗତ କରାଯାଇଥିଲା। ହେଲେ, କୌଣସି ପ୍ରକାରର ଗୁପ୍ତଚର ବୃତ୍ତି ମାମଲାରେ ସଂପୃକ୍ତ ନଥିବା ନାମ୍ବି ନାରାୟଣଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଲଢ଼ିବାକୁ ପଡ଼ିଥିଲା ଏକ ଲମ୍ବା ଯୁଦ୍ଧ। ଶେଷରେ ବିଜୟ ଘଟିଥିଲା ନାମ୍ବି ନାରାୟଣଙ୍କ। ଗତ ସେପ୍ଟେମ୍ବର ୧୪ ତାରିଖରେ ଦେଶର ସର୍ବୋଚ୍ଚ ନାୟ୍ୟାାଳୟ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ମିଥ୍ୟା ଥିବା ଦର୍ଶାଇ ଖାରଜ କରିଦେବା ସହ ତାଙ୍କୁ ନିର୍ଦ୍ଦୋଷ ଘୋଷିତ କରିଥିଲେ। ଖାଲି ଏତିକି ନୁହେଁ, ତାଙ୍କୁ ବିନା ଦୋଷରେ ଗିରଫ କରି ଜେଲରେ ରଖିଥିବାରୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କେରଳ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ସୁପ୍ରିମ୍‌ କୋର୍ଟଙ୍କ ଆଦେଶରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ ସୁଦ୍ଧା ନାମ୍ବି ନାରାୟଣଙ୍କ ମନରେ ଶାନ୍ତି ନଥିଲା। ବିନାକାରଣରେ ଦେଶଦ୍ରୋହ ପରି ଏକ ମିଥ୍ୟା ଆରୋପରେ ତାଙ୍କୁ ଛନ୍ଦି ଦିଆ ଯାଇଥିବାରୁ ସେ ତିଳେ ତିଳେ ଦଗ୍ଧ ହେଉଥିଲେ। ହେଲେ, ଏବେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିବା ଶୁଣିବା ପରେ ସେ ନିରବରେ ନିଜ ଆଖିରୁ ଲୁହ ଗଡ଼ାଇବା ସହ ଶେଷରେ ତାଙ୍କ ପରିଶ୍ରମକୁ ସ୍ୱୀକୃତି ଦେଇ ଦେଶଦ୍ରୋହୀ ରୂପେ ନୁହେଁ ବରଂ ପଦ୍ମଭୂଷଣରେ ସମ୍ମାନିତ କରିଥିବାରୁ ସେ ଆନନ୍ଦିତ ବୋଲି କହିଛନ୍ତି।

By amfnews

Related Post