Fri. Jul 3rd, 2026

ଗଞ୍ଜାମ: ପଞ୍ଚବୁଠି ସରପଞ୍ଚଙ୍କ ସ୍ୱାମୀଙ୍କୁ ବଜାର ଉପରୁ ଉଠାଇ ନେଲେ ଦୁର୍ବୃତ୍ତ

342 Views

ଭଞ୍ଜନଗର: ସ୍ପଷ୍ଟ ଦିବା ଲୋକରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଶୁକ୍ରବାର ଦୁର୍ବୃତ୍ତମାନେ ଉଠାଇ ନେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ପଞ୍ଚବୁଠି ପଞ୍ଚାୟତର ସରପଞ୍ଚ ପ୍ରମିଳା ଦୋରାଙ୍କ ସ୍ୱାମୀ ଗୋକୁଳ ଚନ୍ଦ୍ର ଦୋରାଙ୍କୁ ଦୁବୃର୍ତ୍ତମାନେ ଶହ ଶହ ଲୋକ ଭିଡ ଭିତରୁ ଉଠାଇ ନେଇଛନ୍ତି।

ଗୋକୁଳ ଆଜି ସନ୍ଧ୍ୟାରେ ଘର ପାଇଁ ଜିନିଷ ପତ୍ର କିଣିବାକୁ ବଜାରକୁ ଯାଇଥିଲେ। ସେ ଜିନିଷ ପତ୍ର କିଣୁଥିବା ବେଳେ ପ୍ରାୟ ୫ ଜଣ ଦୁର୍ବୃତ୍ତ ତାଙ୍କ ପାଖକୁ ପହଞ୍ଚିଥିଲେ। ଗୋକୁଳ କିଛି କହିବା ପୂର୍ବରୁ ଦୁର୍ବୃତ୍ତମାନେ ପୂର୍ବ ଯୋଜନା ମୁତାବକ ନିସ୍ତୁକ ମାଡ ମାରିଥିଲେ। ଏହା ପରେ ବନ୍ଧୁକ ଦେଖାଇ ବାଇକରେ ବସିବାକୁ କହିଥିଲେ। ପରେ ସେମାନେ ଗୋକୁଳକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ମହିଳା ସରପଞ୍ଚ ପ୍ରମିଳା ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ଜଗନ୍ନାଥପ୍ରସାଦ ଥାନା ଓ ପଡୋଶୀ ନୟାଗଡ଼ ଜିଲ୍ଲାର ଓଡଗାଁ ଥାନା ପୁଲିସ ଦୁର୍ବୃତ୍ତଙ୍କ କବଳରୁ ଗୋକୁଳଙ୍କୁ ଉଦ୍ଧାର କରିବା ପାଇଁ ଖୋଜୁଛି।

ସୂଚନାଯୋଗ୍ୟ, ଦାଦାବଟୀ ଦାବି କରି ଦୁର୍ବୃତ୍ତମାନେ ପୂର୍ବରୁ ମଧ୍ୟ ଗୋକୁଳଙ୍କୁ ଧମକ ଦେଇଥିଲେ।

By amfnews

Related Post