Fri. Jul 24th, 2026

ଖୋର୍ଦ୍ଧା ରାମେଶ୍ୱରରେ ହାତୀ ଆକ୍ରମଣ ଯୋଗୁଁ ଫାର୍ମହାଉସ୍‌ ତତ୍ତ୍ୱାବଧାରକ ଆହତ

283 Views

ନିରାକାରପୁର  : ଆଜି ପାହାନ୍ତାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱରସ୍ଥିତ ଗୋଟାଏ ଫାର୍ମହାଉସ୍‌ରେ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଛନ୍ତି।ଆହତ ବ୍ୟକ୍ତିଜଣ ହେଉଛନ୍ତି ଫାର୍ମହାଉସ୍‌ର ଅନ୍ୟତମ ତତ୍ତ୍ୱାବଧାରକ ପଙ୍କଜ ବିଶ୍ୱାଳ।କେତେ ଦିନ ହେବ ଚନ୍ଦକା ଅଞ୍ଚଳରୁ ୨୫ ସରିକି ହାତୀ ଖଜୁରିଆ ପାହାଡ଼, ଗିରିଡ଼ିବଣ ଓ ଚିତ୍ରକୂଟ ପାହାଡ଼ରେ ଚରାବୁଲା କରିବା ସହ ସ୍ଥାନୀୟ ଫସଲ ଜମିରେ ପଶି ଗଛବୃଚ୍ଛ ଭାଙ୍ଗି ଖାଉଥିଲେ।

ରାମେଶ୍ୱର ଗାଁ ନିକଟରେ ଥିବା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଫାର୍ମହାଉସ୍‌ରେ ମଧ୍ୟ ଗୋଟାଏ ହାତୀ ଗତକାଲି ଦିନ ତମାମ ବୁଲାବୁଲି କରି ଫସଲ ଖାଇବା ପରେ ସନ୍ଧ୍ୟା ବେଳକୁ ଚାଲିଯାଇଥିଲା।

ରାତିରେ ଖୁବ୍‌ ଜୋର୍‌ରେ କୁକୁର ଭୁକିବାରୁ ତତ୍ତ୍ୱାବଧାରକ ପଙ୍କଜ ଉଠିଆସି ଟର୍ଚ ପକାଇ ଦେଖିଲେ ଫାର୍ମହାଉସ୍‌ରେ ୨୦/୨୫ଟି ହାତୀ ପଶିଛନ୍ତି। ହାତୀପଲକୁ ଘଉଡ଼ାଇବାର ସମ୍ଭବପର ନୁହେଁ ଜାଣି ସେ ଘର ଭିତରକୁ ଚାଲିଯାଇଥିଲେ।

ପାହାନ୍ତା ପ୍ରାୟ ୪: ୩୦ରେ ଉଠିପଡ଼ି ପଙ୍କଜ ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଗୋଟାଏ ହାତୀ ତାଙ୍କୁ ଆକ୍ରମଣ କରିଥିଲା।ଅଣ୍ଟାରେ ଆଘାତ ଲାଗିଥିବା ପଙ୍କଜଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ହାତୀପଲ ସେଠାରେ ୧୦ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ଏବଂ ବିଭିନ୍ନ ଜାତିର ଔଷଧୀୟ ବୃକ୍ଷ ନଷ୍ଟ କରି ପକାଇଛନ୍ତି।

By amfnews

Related Post