Sat. Sep 5th, 2026
394 Views

ଭୁବନେଶ୍ୱର : ରାଜଧାନୀର ୟୁନିଟ-୪ ମାର୍କେଟ୍ ୧୪ ଦିନ ବନ୍ଦ ରହିବା ପରେ ଆଜି (ଶୁକ୍ରବାର) ଠାରୁ ଖୋଲିଛି। ଆଜି ବିଭିନ୍ନ ଦେକାନୀ ଓ ବ୍ୟବସାୟୀମାନେ ସେମାନଙ୍କର ଦୋକାନ ଖୋଲି ବେଶ ଖୁସି ଥିବା କହିଛନ୍ତି। ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବା ବେଳେ ଜୀବନ ଓ ଜୀବିକା ଉଭୟ ଗୁରୁତ୍ବପୂର୍ଣ୍ଣ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ଅପରପକ୍ଷରେ ୟୁନିଟ-୪ ମାର୍କେଟରେ ଆଜି ସକାଳେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। କିନ୍ତୁ ଲୋକେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ନିୟମକୁ ମାନୁ ଥିବାର ଲକ୍ଷ୍ୟ କରାଯାଇଛି।

ସୂଚନାଯୋଗ୍ୟ, ୟୁନିଟ-୪ ମାର୍କେଟରୁ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ଏହି ମାର୍କେଟ୍‌କୁ ବନ୍ଦ କରିଦିଆଯାଇଥିଲା। ଏହାପରେ ଏଠାରେ ବ୍ୟବସାୟ କରୁଥିବା ବ୍ୟବସାୟୀ, ମାଛ ମାର୍କେଟରେ ବସୁଥିବା ବ୍ୟବସାୟୀଙ୍କର ସ୍ବାବ୍ ସଂଗ୍ରହ କରାଯାଇଥିଲା। ଏଥିରୁ ଆଉ ୮ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୂରା ମାର୍କେଟକୁ ବିଶୋଧନ କରାଯାଇଥିଲା। ସିଲ୍‌କୁ ୧୪ଦିନ ପୂରି ଯାଇଥିବାରୁ ଆଜି ବିଏମ୍‌ସି ପକ୍ଷରୁ ମାର୍କେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା।

ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି ଯେ, ୟୁନିଟ-ମାର୍କେଟ୍ ରାଜଧାନୀର ଏକ ପ୍ରମୁଖ ହୋଲସେଲ୍‌ ମାର୍କେଟ୍ ହୋଇଥିବାବେଳେ ସବୁଠୁ ବଡ଼ ଆମିଷ ମାର୍କେଟ୍। ‌ତେଣୁ ବ୍ୟବସାୟୀମାନଙ୍କ ଠାରୁ ଅଣ୍ଡରଟେକିଂ ଲେଖି ଆମେ ‌ମାର୍କେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛୁ। ମାର୍କେଟରେ ଯେପରି ସମସ୍ତ ବ୍ୟବସାୟୀ ମାସ୍କ ପିନ୍ଧିବେ, ମାସ୍କ ପିନ୍ଧି ନଥିଲେ ଗ୍ରାହକଙ୍କୁ ସାମଗ୍ରୀ ଦେବେନି, ସାମାଜିକ ଦୂରତା ନିୟମ ମାନିବେ ସେନେଇ ବିଏମ୍‌ସିର ଏସ୍‌ଓପି ମାନିବାକୁ ଲିଖିତ ଭାବେ ଜଣାଇଛନ୍ତି। ତେଣୁ ଆମେ ଏହି ମାର୍କେଟ୍ ଖୋଲିବାକୁ ଅନୁମତି ଦେଇଛୁ। ଯଦି ଆଗାମୀ ଦିନରେ କେହି ନିୟମ ଉଲ୍ଲଂଘନ କରୁଥିବା ଜଣା‌ଯାଏ ତେବେ ଆମେ ମାର୍କେଟ୍‌ ପୁଣି ବନ୍ଦ କରିବୁ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post