Wed. Sep 23rd, 2026

ଖୁବ୍‌ଶୀଘ୍ର ରାଉରକେଲାରୁ ବିମାନ ସେବା

????????????????????????????????????
448 Views

ରାଉରକେଲା , ଜାନୁଆରୀ ୦୯ : ବ୍ୟାବସାୟିକ ବିମାନ ଚଳାଚଳ ପାଇଁ କେନ୍ଦ୍ର ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଡିଜିସିଏ) ପକ୍ଷରୁ ରାଉରକେଲା ଏୟାରପୋର୍ଟକୁ ସବୁଜ ସଙ୍କେତ ମିଳିଛି। ଦୀର୍ଘଦିନର ପ୍ରତୀକ୍ଷା ପରେ ଡିଜିସିଏ ରାଉରକେଲା ଏୟାରପୋର୍ଟକୁ କମର୍‌ସିଆଲ ଲାଇସେନ୍ସ ପ୍ରଦାନ କରିଛନ୍ତି। ଗତକାଲି ଏ ବିଷୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଟ୍ବିଟ୍‌ ଜରିଆରେ ଜଣାଇଛନ୍ତି।

୨୦୧୬ ଜାନୁଆରୀ ମାସରେ ଏୟାର ଓଡ଼ିଶା ପକ୍ଷରୁ ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ନିୟମିତ ବିମାନ ସେବା ଆରମ୍ଭ ହୋଇଥିଲା। ବିଭିନ୍ନ ସମସ୍ୟା ଓ ବିବାଦ ଯୋଗୁଁ ଚାଲିବାର ୫ ମାସ ପରେ ଅର୍ଥାତ୍‌ ସେହି ବର୍ଷର ‌ମେ’ ମାସରେ ରାଜ୍ୟ ସରକାର ଏୟାର ଓଡ଼ିଶା ବିମାନ ସେବାକୁ ରଦ୍ଦ କରି ଦେଇଥିଲେ।

୨୦୧୭ ମାର୍ଚ୍ଚରେ ‘ଉଡିବେ ଦେଶର ନାଗରିକ’ (ଓଡାନ) ଯୋଜନାରେ ରାଉରକେଲା ଏୟାରପୋର୍ଟକୁ ସାମିଲ କରାଯାଇଥିଲା। ରାଉରକେଲାରୁ ରାଞ୍ଚି, ଜାମସେଦପୁର, ଭୁବନେଶ୍ବର, ରାୟପୁର, କଲିକତା, ନାଗପୁର ଓ ଗୟା ଆଦି ଦେଶର ପ୍ରମୁଖ ସହରକୁ ନିୟମିତ ୪୦ ଆସନ ବିଶିଷ୍ଟ ବିମାନସେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ତା’ପରେ ଏଥିନେଇ ସେଲ୍ ସହିତ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ପରବର୍ତ୍ତୀ ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ରାଉରକେଲା ଏୟାରପୋର୍ଟ ଭିତ୍ତିଭୂମିର ବିକାଶ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିଲା। ମାତ୍ର ଡିଜିସିଏ ପକ୍ଷରୁ ବାଣିଜ୍ୟିକ ଲାଇସେନ୍ସ ମିଳି ନ ଥିବାରୁ ନିୟମିତ ବିମାନ ସେବା ଆରମ୍ଭ ହୋଇ ପାରି ନ ଥିଲା।

ଏବେ କମର୍ସିଆଲ୍‌ ଲାଇସେନ୍ସ ପାଇବା ପରେ ରାଉରକେଲା ବିମାନ ବନ୍ଦର ଓଡ଼ିଶାର ତୃତୀୟ ବିମାନ ବନ୍ଦରର ମାନ୍ୟତା ପାଇଲା। ଖୁବ୍‌ଶୀଘ୍ର ରାଉରକେଲାରୁ ଦୈନିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହାଦ୍ବାରା ସ୍ମାର୍ଟସିଟି ଦେଶ ଓ ରାଜ୍ୟର ଅନ୍ୟଭାଗ ସହିତ ସହଜରେ ଯୋଡି ହେବାର ସୁଯୋଗ ସୃଷ୍ଟିହେବ।

By amfnews

Related Post